Unknown

 

 

 

 

 

 

 

 

 

 

 

ଆମ ପରିବେଶ

କହ୍ନାଇ ଚରଣ ସ୍ୱାଇଁ

 

ସୂଚୀପତ୍ର

 

୧.

ପରିବେଶ କ'ଣ

୨.

ଘର ଦୁଆର

୩.

ବଣ ଜଙ୍ଗଲ

୪.

ଜୀବଜନ୍ତୁ

୫.

ମୃତ୍ତିକା ପ୍ରଦୂଷଣ

୬.

ଅମୃତ ବିଷ ପାଲଟିଲା

୭.

ବିଶୁଦ୍ଧ ବାୟୁର ଅଭାବ

୮.

ଆକାଶରେ ଫାଟ

୯.

କାନ ଅତଡ଼ା ପଡ଼ିଯାଉଛି

୧୦.

ପରିବେଶ ଓ ପ୍ରଗତି

○○○

 

ପରିବେଶ କ'ଣ ?

 

ଆଜିକାଲି ସାରା ପୃଥିବୀର ସବୁଦେଶର ଲୋକେ ପରିବେଶ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । କେତେକ ଦେଶର ବଦ୍ୟାଳୟମାନଙ୍କରେ ଛାତ୍ରମାନଙ୍କୁ ପରିବେଶ, ତାହାର ପ୍ରଦୂଷଣ ଓ ସୁରକ୍ଷା ବିଷୟରେ ଶିକ୍ଷା ଦିଆଯାଉଛି । ପରିବେଶ ବିଜ୍ଞାନଶିକ୍ଷାର ଏକ ପ୍ରଧାନ ଅଙ୍ଗ ରୂପେ ବିବେଚିତ ହେଉଛି । ବର୍ତ୍ତମାନ ବୈଜ୍ଞାନିକମାନେ କହିଲେଣି ଯେ ଆମର ପରିବେଶ ସୁରକ୍ଷିତ ନ ହେଲେ ମନୁଷ୍ୟ ସମାଜ ବହୁ ଅସୁବିଧାର ସମ୍ମୁଖୀନ ହେବ । ବେଳହୁଁ ସାବଧାନ ନ ହେଲେ ଏପରି ଦିନ ଆସିବ ଯେତେବେଳେ ଏହି ପରିବେଶର ପ୍ରଦୂଷଣ ଯୋଗୁଁ ମାନବ ସମାଜ ଧ୍ୱଂସ ପାଇଯିବ । ଏହି ପରିବେଶ କ’ଣ ଓ ଏହା କିପରି ଦୂଷିତ ହେଉଛି ଏବଂ ତାହା କିପରି ସୁରକ୍ଷିତ ହୋଇପାରିବ ଏ ବିଷୟରେ ଆମ ସମସ୍ତଙ୍କର ସମ୍ୟକ ଜ୍ଞାନ ରହିବା ଉଚିତ ।

 

ପରିବେଶକୁ କେହିକେହି ‘ପର୍ଯ୍ୟାବରଣ’ କହୁଛନ୍ତି । ଏହାର ଆକ୍ଷରିକ ଅର୍ଥ ହେଲା ଆମର ଚାରିଆଡ଼େ ରହିଥିବା ପଶୁପକ୍ଷୀ, କୀଟପତଙ୍ଗ, ଗଛଲତା ପ୍ରଭୃତି । ଜଳ, ବାୟୁ, ମୃତ୍ତିକା, ଉତ୍ତାପ ପ୍ରଭୃତି ପରିବେଶ ବା ପର୍ଯ୍ୟାବରଣର ଅନ୍ତର୍ଭୁକ୍ତ । ପରିବେଶ ପ୍ରଧାନତଃ ଦୁଇପ୍ରକାର । ଗୋଟିଏ ହେଲା ‘ପ୍ରାକୃତିକ’ ଏବଂ ଅନ୍ୟଟି ‘କୃତ୍ରିମ । ବଣଜଙ୍ଗଲ, ନଦୀସମୁଦ୍ର, ମୃତ୍ତିକା, ଜଳ, ଉତ୍ତାପ, ବାୟୁ ପ୍ରଭୃତି ପ୍ରାକୃତିକ, ପରିବେଶର ଅନ୍ତର୍ଗତ । କଳକାରଖାନା, ଯାନବାହନ ନାଳନର୍ଦ୍ଦନା ପ୍ରଭୃତି ମନୁଷ୍ୟକୃତ । ତେଣୁ ଏଗୁଡ଼ିକୁ କୃତ୍ରିମ ପରିବେଶ କୁହାଯାଇ ପାରେ । ଏହି ଆଲୋଚନାରୁ ଜଣାଯାଉଛି ଯେ ପରିବେଶ ଏକପ୍ରକାର ପରିସ୍ଥିତି ବା ଅବସ୍ଥା । ଏହି ଅବସ୍ଥା ବା ପରିସ୍ଥିତିର ଭାରସାମ୍ୟ ରହିଲେ ସମସ୍ତଙ୍କର ମଙ୍ଗଳ । ଅନ୍ୟଥା ଏହା ଉଭୟ ପ୍ରାଣୀଜଗତ ଓ ଉଦ୍ଭିଦଜଗତ ପ୍ରତି ବିପଦ । ମନୁଷ୍ୟ ଯଦି ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ନଷ୍ଟକରି କେବଳ ନିଜେ ବଞ୍ଚିବାକୁ ଚାହିଁବ, ତାହାହେଲେ ସେ ତ ନିଜେ ଲୋପ ପାଇବ । ତା’ଛଡ଼ା ପରିବେଶ ପ୍ରଦୂଷିତ ହୋଇ ମହା ଅନିଷ୍ଟ ଘଟାଇବ । ନିରାପଦରେ ବଞ୍ଚିବା ପାଇଁ ଉପଯୁକ୍ତ ନିର୍ମଳ ଓ ଶୁଦ୍ଧ ପରବେଶ ଆବଶ୍ୟକ

Image

୧୯୯୯ ମସିହାରେ ଯେଉଁ ପ୍ରଳୟକାରୀ ବାତ୍ୟା ଓଡ଼ିଶା ଉପକୂଳରେ ବହିଗଲା ଏବଂ ଯାହା ଫଳରେ ବହୁ ଧନ ଜୀବନ ନଷ୍ଟ ହେଲା, ସମୁଦ୍ର ଉପକୂଳରେ ଲୁଣା ଜଙ୍ଗଲ ଓ ହେନ୍ତାଳ ବନର ଅବକ୍ଷୟ ବା ବିଲୋପ ତାହାର ଅନ୍ୟତମ କାରଣ ।

 

ପୂର୍ବକାଳରେ ଲୋକେ ଯେ ପରିବେଶ ବିଷୟରେ ସଚେତନ ନ ଥିଲେ ତାହା ନୁହେଁ । ସେତେବେଳେ ପୃଥିବୀରେ ବଣଜଙ୍ଗଲ ପୂରି ରହିଥିଲା । ବୃକ୍ଷକୁ ଦେବତା ବୋଲି ପୂଜା କରୁଥିଲେ-। ବୃକ୍ଷରୋପଣ ଏକ ମହତ୍ ଏବଂ ପବିତ୍ର କାର୍ଯ୍ୟ ବୋଲି ବିବେଚିତ ହେଉଥିଲା । ନଈ, ନାଳ, ଝରଣା, ପାଣି, ପବନ ପ୍ରଭୃତି ବିଶୁଦ୍ଧ ଓ ନିର୍ମଳ ଥିଲା । ବର୍ତ୍ତମାନ କିନ୍ତୁ ଅବସ୍ଥା ବଦଳି ଯାଇଛି-। ପୂର୍ବକାଳରେ ପୃଥିବୀର ଲୋକସଂଖ୍ୟା ଏତେ ବେଶୀ ନ ଥିଲା । ଏବେ ଲୋକସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି । ତା’ ସହିତ ବହୁ ଶିଳ୍ପ ଓ ବାଣିଜ୍ୟର ପ୍ରସାର ଘଟିଲାଣି । କଳକାରଖାନାର ନିର୍ମାଣ ସାଙ୍ଗକୁ ଯାନବାହନ ଚଳାଚଳ ଅତିମାତ୍ରାରେ ବଢ଼ିଗଲାଣି । ଅଧିକ ଲୋକ ବସତି ଓ ଘରଦ୍ୱାର ଯୋଗୁଁ ଅଳିଆ, ଆବର୍ଜନା ବହି ଚାଲିଛି । ଫଳରେ ପ୍ରାକୃତିକ ପରିବେଶ ଯେପରି ଶୁଦ୍ଧ, ନିର୍ମଳ ଓ ପବିତ୍ର ଥିଲା ତାହା ଆଉ ସେପରି ନାହିଁ । ଘରଦ୍ଵାର, ବାଟଘାଟ, ନଈନାଳ, ପାଣିପବନ ସବୁ ଆଜି ଦୂଷିତ ହେବାରେ ଲାଗିଛି । ଜଙ୍ଗଲ, ଗଛ, ଲତା ପ୍ରଭୃତି ଆଉ ନାହିଁ, ଫଳରେ ନାନା ଅଘଟଣ ଘଟୁଛି । ୧୯୯୯ ମସିହା ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ଯେଉଁ ପ୍ରବଳ ମହାବାତ୍ୟା ବହିଗଲା ଏବଂ ଯହିଁରେ ହଜାର ହଜାର ଲୋକ ଗୃହଶୂନ୍ୟ ହେଲେ ଏବଂ ଲକ୍ଷ ଲକ୍ଷ ଗୋରୁ, ଗାଈ ଓ ପଶୁପକ୍ଷୀ ପ୍ରାଣ ହରାଇଲେ ତାହା କେବଳ ପରିବେଶର ପ୍ରଦୂଷଣ ଯୋଗୁଁ ଯେ ଘଟିଲା, ଏଥିରେ ସନ୍ଦେହ ନାହିଁ ।

 

ପରିବେଶ ପ୍ରଦୂଷଣ ଦିନ ଅଧକର କଥା ନୁହେଁ । ଲୋକସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜଙ୍ଗଲ ସଫାକରି ଲୋକେ ଘରଦୁଆର ଓ ଚାଷବାସ କରୁଛନ୍ତି । ଶିଳ୍ପ ବାଣିଜ୍ୟର ପ୍ରସାର ଫଳରେ ନଈ ନାଳ ଦୂଷିତ ହେଉଛି । ଯାନବାହନ ଚଳାଚଳ ଫଳରେ ବିଷାକ୍ତ ଗ୍ୟାସ୍ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି । ଏହି ପ୍ରକ୍ରିୟା ପୃଥିବୀର ସର୍ବତ୍ର ଲାଗିରହିଛି । ଏଇ ହେଲା ପରିବେଶ ପ୍ରଦୂଷଣ ।

 

ପରିବେଶ କିପରି ପ୍ରଦୂଷିତ ହେଉଛି ଏବଂ ଏହି ପରିବେଶକୁ ଶୁଦ୍ଧ ଓ ନିର୍ମଳ ରଖିବା ପାଇଁ ଆମର କ’ଣ କରିବା ଉଚିତ, ଏହା ଆଲୋଚନା କରିବାର ବେଳ ଆସିଛି ।

○○○

 

ଘର ଦୁଆର

 

ବାଡ଼ିବଗିଚା, ରାସ୍ତାଘାଟ, କୂଅପୋଖରୀ, ନାଳନର୍ଦ୍ଦମା, ଗାଈଗୁହାଳ ପ୍ରଭୃତି ହେଲା ଆମ ଘରର ପରିବେଶ । ଘରଦୁଆର ପରିଷ୍କାର ପରିଚ୍ଛନ୍ନ ରଖିବା ସର୍ବପ୍ରଥମ କର୍ତ୍ତବ୍ୟ ।

Image

ଘରେ ଆମେ ସବୁବେଳେ କାରବାର କରୁଛୁ । ଖିଆପିଆ, ରୋଷେଇବାସ ଲାଗିଛି । ପନିପରିବା ପ୍ରତିଦିନ କଟାହେଉଛି । ଫଳରେ ଘରଦ୍ୱାର ମଇଳା ହେଉଛି । ତେଣୁ ପ୍ରତିଦିନ ଦୁଇଓଳି ଘରକୁ ଝାଡ଼ୁରେ ସଫାକରିବା ଉଚିତ । ଅଳିଆ, ଆବର୍ଜନା, କଟା ପରିବା ଚୋପା ପ୍ରଭୃତିକୁ ଏକାଠିକରି ଗୋଟିଏ ଗାତଖୋଳି ଖତଗଦାରେ ପକାଇଦେବା ଉଚିତ । ସହରମାନଙ୍କରେ ଅଳିଆ ଆବର୍ଜନା ପକାଇବା ପାଇଁ ବଡ଼ ବଡ଼ କୁଣ୍ଡ ରଖାଯାଇଥାଏ । ଲୋକେ ଘରଦ୍ଵାର ସଫାକରି ଏହି ଅଳିଆ ଆବର୍ଜନା ସବୁ ସେହି କୁଣ୍ଡରେ ପକାଇ ଦିଅନ୍ତି । ମ୍ୟୁନିସିପାଲ୍‍ଟି ମଧ୍ୟେ ମଧ୍ୟେ ସେ କୁଣ୍ଡରୁ ଅଳିଆ ଆବର୍ଜନା ସବୁ ସଫାକରି ଦୂରରେ ପକାଇ ଦିଅନ୍ତି । କିଛି ବର୍ଷପରେ ଅଳିଆ ଆବର୍ଜନା ସବୁ ପଚିସଢ଼ି ଖତରେ ପରିଣତ ହୋଇଯାଏ । ଗାଁ ଗହଳରେ ଖାତଖୋଳି ଘରର ଅଳିଆ ଆବର୍ଜନା ପକାଇଦେବା ଉଚିତ । ଶୁଖିଲା ପତ୍ର, ଘାସ, କୁଟା ପ୍ରଭୃତି ପୋତିଦେବା ଭଲ । ନଚେତ୍ ସେଗୁଡ଼ିକ କ୍ରମେ ଅତି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବ । ତହିଁରୁ ମଶା, ମାଛି ପ୍ରଭୃତି ବହୁ କୀଟପତଙ୍ଗ ଜନ୍ମି ମନୁଷ୍ୟର ବହୁ କ୍ଷତି କରିବେ । ତୁମେ ଜାଣିଥିବ ଗତ କିଛିବର୍ଷତଳେ ଆମ ଦେଶର ଗୁଜୁରାଟ ରାଜ୍ୟରେ ପ୍ରବଳ ପ୍ଳେଗ୍‍ ରୋଗରେ ଆକ୍ରାନ୍ତ ହୋଇ ବହୁଲୋକ ପୋକମାଛି ପରି ମରିଗଲେ । ପ୍ଳେଗ୍‍ ରୋଗର ପ୍ରଧାନ କାରଣ ହେଉଛି ମୂଷା । ଅଳିଆ ଆବର୍ଜନା ଯୋଗୁଁ ମୂଷାମାନଙ୍କର ପ୍ରାଦୁର୍ଭାବ ଘଟିଥାଏ ।

Image

ଘର ଦୁଆର, ବାଡ଼ି ବଗିଚା, ଗାଈ ଗୁହାଳ ଆଦି ପରିଷ୍କାର ପରିଚ୍ଛନ୍ନ ନରଖିଲେ ଦୂଷିତ ପରିବେଶର ସୃଷ୍ଟି ହୋଇ ଜଳ ଓ ବାୟୁକୁ ଦୂଷିତକରେ । ଏହା ସ୍ୱାସ୍ଥ୍ୟପ୍ରତି ଘୋର ବିପଦ । ନାଳନର୍ଦ୍ଦମା କଥା ମଧ୍ୟ ସେଇଆ । କୂଅପୋଖରୀର ଆଖପାଖ ସର୍ବଦା ପରିଷ୍କାର ଓ ଶୁଖିଲା ରହିବା ଉଚିତ । କୂଅ ପୋଖରୀରେ ପାଣି ଓ ମଇଳା ଜମାହୋଇ ରହିଲେ ତାହା କୂଅପାଣିକୁ ନଷ୍ଟକରେ । ଯେକୌଣସି ସ୍ଥାନରେ ମଳମୂତ୍ର ତ୍ୟାଗ କରିବା ଏକ ଅତି ଖରାପ ଅଭ୍ୟାସ । ଏଥିପାଇଁ ବରପାଲି ପାଇଖାନା ବ୍ୟବହାର କରିବା ଉଚିତ । ଆମେ ଆମ ନିଜ ଘର ଦୁଆର ପରିଷ୍କାର ପରିଚ୍ଛନ୍ନ ନ ରଖିଲେ ନିରାପଦରେ ରହିପାରିବା ନାହିଁ । ନାନାପ୍ରକାର ରୋଗ ଆମକୁ ମାଡ଼ିବସିବ ।

 

ଏହା ଦିନ ଅଧକର କଥା ନୁହେଁ । କୋଟି କୋଟିଲୋକ ସହର ଓ ମଫସଲରେ ବାସ କରୁଛନ୍ତି । ପ୍ରତିଦିନ ଘରୁ କେତେ ଅଳିଆ ଆବର୍ଜନା, ଛିଣ୍ଡା କାଗଜ, ଛିଣ୍ଡା କନା, ଭଙ୍ଗା କାଚ, ଟିଣ ଓ ପ୍ଲାଷ୍ଟିକ ଆଦି ନ ବାହାରୁଛି ? ଏହି ଅଦରକାରୀ ଜିନିଷକୁ ଆମେ ଯଦି ପୋଡ଼ି ବା ପୋତି ନଦେଇ ଏଣେତେଣେ ପକାଇବା ତାହାହେଲେ ଘୋର ଅସୁବିଧା ଘଟିବ । ଘରର ପରିବେଶ ଦୂଷିତ ହେବା ସହିତ ପାଣି ପବନ ସବୁ ଖରାପ ହୋଇଯିବ ।

 

ଅଳିଆ ଆବର୍ଜନା ସବୁ ଏକତ୍ରକଲେ ତାହା ହିମାଳୟ ପର୍ବତ ଭଳି ଉଚ୍ଚ ହୋଇଯିବ । ତେଣୁ ନିଜ ଘର ଦୁଆର, ବାଡ଼ି ବଗିଚା ପ୍ରଭୃତି ସବୁବେଳେ ସଫାସୁତୁରା ରଖିବା ଦରକାର । ତା’ ନହେଲେ ମଶା, ମାଛି ପ୍ରଭୃତି କୀଟ ପତଙ୍ଗଙ୍କ ବୃଦ୍ଧି ଫଳରେ ପରିବେଶ ବିଷାକ୍ତ ହୋଇଉଠିବ । ପାଣି ପବନ ଦୂଷିତ ହେବା ଫଳରେ ବହୁପ୍ରକାର ରୋଗ ମଧ୍ୟ ବ୍ୟାପିବ । ତେଣୁ ନିଜଘର ଓ ପରିବେଶ ପ୍ରତି ସର୍ବପ୍ରଥମେ ଦୃଷ୍ଟିଦେବା ଉଚିତ । ପରିବାରର ପ୍ରତ୍ୟେକ ଲୋକଙ୍କର ଏ ଦିଗରେ ଦାୟିତ୍ଵ ଅଛି । ନିଜ ଘରର ପରିବେଶ ଅସ୍ୱାସ୍ଥ୍ୟକର ହେଲେ ତାହା ସାରା ଗ୍ରାମକୁ ନଷ୍ଟ କରିବ । ଘରର ଛୋଟ ଛୋଟ ପିଲାମାନଙ୍କୁ ପ୍ରଥମରୁ ଘରର ପରିବେଶ ଓ ତାହାର ସୁରକ୍ଷା ନିମନ୍ତେ ଶିକ୍ଷା ଦେବାକୁ ହେବ ।

 

ଆଜିକାଲି ବହୁ ପ୍ରକାର ପ୍ଲାଷ୍ଟିକ୍ ଓ ଜରିର ବ୍ୟବହାର ହେଲାଣି । ଏଗୁଡ଼ିକ ନଷ୍ଟ ହୋଇଗଲେ ଆମେ ଏଣେତେଣେ ଫୋପାଡ଼ି ଦେଉଛୁ । କିନ୍ତୁ ଅନ୍ୟାନ୍ୟ ଅଳିଆ ଆବର୍ଜନା ଭଳି ପ୍ଲାଷ୍ଟିକ୍ ବା ଜରି ପଚିଶଢ଼ି ନଷ୍ଟ ହୋଇଯାଏ ନାହଁ । ଫଳରେ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରେ । ଗୋଟାଏ ହିସାବରୁ ଜଣାପଡ଼ିଛି ଯେ ପୃଥିବୀରେ ମନୁଷ୍ୟମାନେ ପ୍ରତିଦିନ ଯେତେ ଆବର୍ଜନା ଫିଙ୍ଗି ଦେଉଛନ୍ତି, ସେ ସବୁକୁ ଯଦି ଏକତ୍ର କରାଯାଏ ତାହା ହିମାଳୟ ପର୍ବତ ଭଳି ଉଚ୍ଚ ହେବ । ଭାବିଲ ଦେଖି, ଏହା ପରିବେଶ ପ୍ରତି କି ଘୋର ବିପଦ ।

○○○

 

ବଣ ଜଙ୍ଗଲ

 

ପ୍ରାକୃତିକ ସମ୍ପଦ ଉପରେ ଦେଶର ପ୍ରଗତି ଓ ସମୃଦ୍ଧି ନିର୍ଭର କରେ । ବଣ ଜଙ୍ଗଲ ଆମ ଦେଶର ଏକ ପ୍ରଧାନ ସମ୍ପଦ । ବଣ ଜଙ୍ଗଲ ନ ଥିଲେ ମନୁଷ୍ୟ କିମ୍ବା ଇତର ପ୍ରାଣୀ କେହି ବଞ୍ଚିପାରିବେ ନାହିଁ । ଉଦ୍ଭିଦଜଗତ ଓ ଜୀବଜଗତ ପରସ୍ପର ଉପରେ ନିର୍ଭରଶୀଳ । ପୂର୍ବେ ଗଛଲତା ଆଦି ପୃଥିବୀରେ ଭରପୂର ହୋଇ ରହିଥିଲା; ଆଜିକାଲି ତା’ ନାହିଁ । ଆଧୁନିକ ଯନ୍ତ୍ରଯୁଗରେ ଶିଳ୍ପ, କଳକାରଖାନା ଓ ଯାନବାହନର ପ୍ରସାର ଯୋଗୁଁ ଜଙ୍ଗଲ ସମ୍ପଦର ଘୋର ଅବକ୍ଷୟ ଘଟିଛି । ଲେକସଂଖ୍ୟା ବୃଦ୍ଧି ଏହାର ପ୍ରଧାନ କାରଣ ।

Image

ପ୍ରାଚୀନକାଳରେ ଦେଶରେ ପ୍ରଚୁର ଜଙ୍ଗଲ । ଘନ ଅରଣ୍ୟର ମଧ୍ୟରେ ପୁଷ୍ପଫଳ ଶୋଭିତ ବୃକ୍ଷଲତା ସବୁ ଅତି ସୁନ୍ଦର ଓ ଶାନ୍ତ ପରିବେଶ ସୃଷ୍ଟି କରୁଥିଲା । ମୁନି ଋଷିମାନେ ଜଙ୍ଗଲ ମଧ୍ୟରେ ଶାନ୍ତିରେ ବାସ କରି ତପସ୍ୟା କରୁଥିଲେ । ମହାଭାରତ, ରାମାୟଣ ଏବଂ ପୁରାଣମାନଙ୍କରେ ବଣଜଙ୍ଗଲର ବର୍ଣ୍ଣନା କରାଯାଇଛି । ବାଲ୍ମିକୀ ମୁନିଙ୍କ ଆଶ୍ରମରେ ସୀତାଙ୍କର ଦୁଇ ଯାଆଁଳା ପୁଅ ଲବକୁଶ ଜନ୍ମଗ୍ରହଣ କରିଥିଲେ । ବଣରେ ଜୀବଜନ୍ତୁମାନଙ୍କର ସ୍ଵଚ୍ଛନ୍ଦ ଆହାର ବିହାର ଦେଖିଲେ କାହା ମନ ଆନନ୍ଦରେ ନାଚି ନ ଉଠିବ ? ନନ୍ଦନକାନନରେ ବାଘ, ଭାଲୁ, ହାତୀ, ଘୋଡ଼ା, ହରିଣ ପ୍ରଭୃତି ବନ୍ୟଜନ୍ତୁମାନଙ୍କୁ ଦେଖିଲେ ମନରେ କି ଅପୂର୍ବ ଆନନ୍ଦ ଜାତ ହୁଏ ।

Image

ବଣ ଜଙ୍ଗଲ ଓ ବୃକ୍ଷଲତାର ମହିମା ଆମ ବେଦ ଉପନିଷଦ ଓ ପୁରାଣମାନଙ୍କରେ ପ୍ରଧାନ ସ୍ଥାନ ଅଧିକାର କରିଅଛି ? ସଂସ୍କୃତି ଓ ସଭ୍ୟତା ସହିତ ବଣଜଙ୍ଗଲ ଓ ବୃକ୍ଷଲତା ଓତପ୍ରୋତ ଭାବରେ ସମ୍ପୃକ୍ତ । ପୁରାଣମାନଙ୍କରେ ବଟବୃକ୍ଷ ଓ ଅଶ୍ଵତ୍ଥ ବୃକ୍ଷର ଗୁଣ ଉପକାରିତା ବିଷୟରେ ବହୁଳ ବର୍ଣ୍ଣନା ରହିଅଛି । ଏ ଦୁଇଟି ବୃକ୍ଷ ମହାଦ୍ରୁମ ଅର୍ଥାତ୍ ଶ୍ରେଷ୍ଠ ବୃକ୍ଷ ବୋଲି ପରିଚିତ-। ତୁଳସୀଗଛର ମହିମା କିଏ ନ ଜାଣେ । ପ୍ରତ୍ୟେକ ଘରେ ତୁଳସୀଗଛ ପୂଜା ପାଉଛି-। ଗାଁ ଗହଳରେ ପୂର୍ବେ ବହୁ ବଡ଼ ବଡ଼ ଆମ୍ବତୋଟା ଥିଲା । ସେଥିରୁ ଲୋକେ ବହୁତ ଫଳ ପାଉଥିଲେ, ତା’ଛଡ଼ା ଏହି ତୋଟା ଯୋଗୁଁ ଗାଁ ଗହଳ ଖରାଦିନରେ ବେଶ୍ ଶୀତଳ ରହୁଥିଲା । ଗଛ ଲଗାଇବା ଏକ ମହତ୍ ପୁଣ୍ୟକର୍ମ ବୋଲି ବିବେଚିତ ହେଉଥିଲା । କୌଣସି ବୃକ୍ଷକୁ କାଟି ନଷ୍ଟ କରିବା ଉଚିତ ନୁହେଁ ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି । ‘‘ବିଷବୃକ୍ଷେଽପି ସଂବର୍ଦ୍ଧ ସ୍ଵୟଂ ଛେତୁମସାସ୍ତ୍ରତମ୍’’–ଅର୍ଥାତ୍‍ ବିଷବୃକ୍ଷ ହେଲେ ବି ତାକୁ ନଷ୍ଟ କରିବା ଅନୁଚିତ ।

Image

ଜଙ୍ଗଲ ସମ୍ପଦର କ୍ଷତି ଘଟିବାର ବହୁ କାରଣ ଅଛି । ଆଦିବାସୀମାନେ ମୁଖ୍ୟତଃ ଜଙ୍ଗଲର ଫଳମୂଳ ଖାଇ ଜୀବନ ଧାରଣ କରୁଥିଲେ । ଆଧୁନିକ ସଭ୍ୟତା ଫଳରେ ସେମାନେ ଜଙ୍ଗଲସବୁ କାଟି ପୋଡ଼ି ଦେଇ ଜମିଚାଷ କରିବାରେ ଲାଗିଲେ । ଏହି ପୋଡ଼ୁଚାଷ ଫଳରେ ଜଙ୍ଗଲ କ୍ରମେ କମିଯାଉଛି । ଏହା ବ୍ୟତୀତ ନିଜର ବ୍ୟବହାର ପାଇଁ ଲୋକେ କାଠ, ବାଉଁଶ ଆଦି ବ୍ୟବହାର କରିବା ଯୋଗୁଁ ଜଙ୍ଗଲ ନଷ୍ଟ ହେଉଛି । ଅବସ୍ଥା ଏପରି ହେଲାଣି ଯେ ହଜାର ହଜାର ମାଇଲ ବିସ୍ତୃତ ଘନଜଙ୍ଗଲ ଏବେ ଏବେ ଟାଙ୍ଗରା ଭୂମିରେ ପରିଣତ ହେବାକୁ ବସିଲାଣି । ଜୀବଜନ୍ତୁ ଆଉ ଜଙ୍ଗଲରେ ନିରାପଦରେ ରହିପାରୁ ନାହାନ୍ତି କି ଆବଶ୍ୟକ ପରିମାଣର ଖାଦ୍ୟ ପାଉନାହାନ୍ତି । ଫଳରେ ସେମାନେ ଗାଁଗଣ୍ଡାକୁ ପଶିଆସି ନାନା ଉତ୍ପାତ କରୁଛନ୍ତି । କେତେକ ସ୍ଥାନରେ ଏମାନଙ୍କ ଯୋଗୁଁ ଶସ୍ୟ ମଧ୍ୟ ନଷ୍ଟ ହେଉଛି । ଏହି କାରଣରୁ ଏକ ବିଚିତ୍ର ପରିବେଶ ସୃଷ୍ଟି ହେଉଛି । ଜୀବଜଗତ ଓ ଉଦ୍ଭିଦଜଗତ ମଧ୍ୟରେ ଭାରସାମ୍ୟ ରହୁନାହିଁ । ଏହା ଫଳରେ ନାନା ଅସୁବିଧା ସୃଷ୍ଟି ହେଉଛି ।

Image

ପରିବେଶକୁ ସୁସ୍ଥ, ସୁନ୍ଦର, ନିର୍ମଳ ଓ ଶାନ୍ତ ରଖିବାରେ ଜଙ୍ଗଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବୃକ୍ଷ, ଲତା, ଗୁଳ୍ମ ପ୍ରଭୃତି ମନୁଷ୍ୟ ଓ ଜୀବଜନ୍ତୁ ଛାଡ଼ୁଥିବା ଅଙ୍ଗାର କାମ୍ଳ ବାଷ୍ପ (Carbon dioxide) ଗ୍ରହଣକରି ତା’ ବଦଳରେ ବିଶୁଦ୍ଧ ଅକ୍ସିଜେନ ବାଷ୍ପ ଯୋଗାଇଥାନ୍ତି । ଏହି ଅକ୍ସିଜେନ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟପାଇଁ ଏକାନ୍ତ ପ୍ରୟୋଜନ । ତେଣୁ ଭାବିଲ ଦେଖି ଉଦ୍ଭିଦମାନେ କିପରି ବିଷପାନ କରି ଅମୃତ ଦାନ କରୁଛନ୍ତି । ବଣ ଜଙ୍ଗଲ ନଷ୍ଟ ହେବା ଫଳରେ ବାୟୁରେ ବହୁ ଅଙ୍ଗାରକାମ୍ଳ ବାଷ୍ପ ଜମି ରହୁଛି । ବାୟୁମଣ୍ଡଳ ଘୋର ପ୍ରଦୂଷିତ ହେଉଛି ।

 

ବଣଜଙ୍ଗଲ ଦ୍ଵାରା ଆହୁରି ବହୁ ଉପକାର ହେଉଛି । ଗଛଲତା, ଗୁଳ୍ମ, ଘାସ ମାଟିକୁ ଚେରଦ୍ଵାରା ଧରି ରଖିଥାଏ । ବର୍ଷାହେଲେ ମାଟି ଧୋଇ ହୋଇ ଯାଏ ନାହଁ । ଗଛଲତା ଓ ବଣ ଜଙ୍ଗଲ ନଷ୍ଟ ହେବାଯୋଗୁଁ ମାଟିସବୁ ଧୋଇ ହୋଇ ଯାଉଛି । ଏହି ମାଟି ବର୍ଷା ଓ ବନ୍ୟାରେ ପାଣି ସୁଅରେ ବହି ଆସି ନଈକୁ ପୋତି ପକାଉଛି । ବର୍ଷ ବର୍ଷ ଧରି ଏହି ଅବସ୍ଥା ଚାଲୁ ରହିଲେ ନଈ ପୋତି ହୋଇ ପଡ଼ିବ । ଫଳରେ ମୃତ୍ତିକା କ୍ଷୟ ସହିତ ବନ୍ୟାର ପ୍ରାଦୁର୍ଭାବ ବଢ଼ି ଚାଲିବ । ଆମ ଦେଶର ଅଧିକାଂଶ ନଦୀର ଏହି ଅବସ୍ଥା । ବୃହତ୍ତମ ଗଙ୍ଗାନଦୀ ମଧ୍ୟ ଏଥିରୁ ବାଦ୍‍ ଯାଇନାହଁ ।

Image

ବଣ ଜଙ୍ଗଲର ଜଳବାୟୁ ଉପରେ ଯଥେଷ୍ଟ ପ୍ରଭାବ ଅଛି । ଟାଙ୍ଗରା ଭୂମି ଅପେକ୍ଷା ଜଙ୍ଗଲିଆ ଜାଗାରେ ବର୍ଷା ଅଧିକ ହୁଏ ଓ ଉତ୍ତାପ କମ୍ ହୁଏ । ଦଶ କୋଡ଼ିଏ ବର୍ଷ ପୂର୍ବେ ଭୁବନେଶ୍ଵର ଜଳବାୟୁ ଯେପରି ସମଶୀତଳ ଓ ସ୍ୱାସ୍ଥ୍ୟକର ଥିଲା, ଆଜି ତା’ ନାହିଁ । ଗ୍ରୀଷ୍ମକାଳର ଅପରାହ୍ନରେ ଆଉ ସେ ସୁଲୁସୁଲିଆ ପବନ ବହୁ ନାହଁ । ଉତ୍ତାପ କ୍ରମେ ବଢ଼ି ବଢ଼ି ଯାଉଛି । ଗ୍ରୀଷ୍ମକାଳରେ ସମୟେ ସମୟେ ଅତ୍ୟଧିକ ତାପ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି-। ଏହାର ପ୍ରଧାନ କାରଣ ହେଉଛି ବୃକ୍ଷଲତା ଓ ଜଙ୍ଗଲର କ୍ଷୟ ସାଧନ । ତା’ ସହିତ ସହରର ଲୋକସଂଖ୍ୟା ବୃଦ୍ଧି, କୋଠାବାଡ଼ି ନିର୍ମାଣ ଓ ଯାନବାହନ ଚଳପ୍ରଚଳ ଭୁବନେଶ୍ଵର ପରିବେଶକୁ ଏକାବେଳକେ ବଦଳାଇ ଦେଲାଣି । ଆଶଙ୍କା ହୁଏ ସହରର ସେ ସୁନ୍ଦର ଓ ଆନନ୍ଦ ଦାୟକ ପରିବେଶ ଦିନେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।

 

ଜଙ୍ଗଲ ସମ୍ପଦର କ୍ଷୟ ସାରା ପୃଥିବୀରେ ଏକ ସମସ୍ୟା ହୋଇଉଠିଛି । ବିଜ୍ଞାନୀମାନେ ମତଦେଲେଣି ଯେ ପ୍ରକୃତିର ଭାରସାମ୍ୟ ରକ୍ଷାପାଇଁ ଜୀବଜଗତ ଓ ଉଦ୍ଭିଦଜଗତ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଆସିଛି । ଜାତୀୟ ଜଙ୍ଗଲନୀତି ଅନୁସାରେ ସମସ୍ତ ସ୍ଥଳଭାଗର ଅନ୍ତତଃ ୩୩ ଭାଗରେ ଜଙ୍ଗଲ, ବୃକ୍ଷଲତା ଆଦି ରହିବା ଉଚିତ । ଏବେ ୪୦ ବର୍ଷ ପରେ ଦେଖାଯାଉଛି ଯେ ଜଙ୍ଗଲ ସମ୍ପଦର ଘୋର ଅପଚୟଘଟି ଏହା ଶତକଡ଼ା ୧୨ ଭାଗକୁ ହ୍ରାସ ପାଇଛି । ତାହା ମଧ୍ୟରେ ଅଧିକାଂଶ ଜଙ୍ଗଲ ଘାସ, ବୁଦୁବୁଦିଆ ଗୁଳ୍ମ ଓ ଲତାରେ ପୂର୍ଣ୍ଣ । ବଡ଼ବଡ଼ ଗଛ ଆଉ ଦେଖିବାକୁ ମିଳୁନାହିଁ । ଏହାର ପରିଣତି ଯେ ଭୟଙ୍କର ଏକଥା ପରିବେଶ ବିଜ୍ଞାନୀମାନେ ଚେତାଇ ଦେଲେଣି-

 

୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଓଡ଼ିଶା ଉପକୂଳରେ ଯେଉଁ ପ୍ରଳୟଙ୍କରୀ ମହାବାତ୍ୟା ବହିଗଲା, ତାହାର ଏକମାତ୍ର କାରଣ ହେଲା ସମୁଦ୍ର ଉପକୂଳରେ ଥିବା ଜଙ୍ଗଲର ଅବକ୍ଷୟ । ପୂର୍ବେ ସେଠାରେ ହେନ୍ତାଳବନ ଥିଲା ତାହା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଗଲାଣି । ଲୋକେ ଘରଦ୍ୱାର ଓ ଚାଷବାସ କଲେଣି । ଗଛବୃକ୍ଷ ଥିଲେ ସିନା ପାଣିପବନକୁ ବାଧା ଦିଅନ୍ତା । ଏବେତ ପଦା, ତେଣୁ ଏପରି ଭୟଙ୍କର ମହାବାତ୍ୟା ଘଟିଲା, ଯାହାଫଳରେ ହଜାର ହଜାର ମନୁଷ୍ୟ ଓ ପଶୁପକ୍ଷୀ ପ୍ରାଣ ହରାଇଲେ ଏବଂ ବହୁଲୋକ ଗୃହଶୂନ୍ୟ ହୋଇପଡ଼ିଲେ-। ବାତ୍ୟାକଥା ଏବେବି ମନେପଡ଼ିଲେ ମନରେ ଘୋର ଦୁଃଖ ଓ ଭୟ ଜାତହୁଏ । ବାତ୍ୟାରେ ଯାହା କ୍ଷୟକ୍ଷତି ଘଟିଗଲା, ତାହା ଏବେ ମଧ୍ୟ ପୂରଣ ହୋଇନାହଁ ।

 

ଜଙ୍ଗଲ ଅବକ୍ଷୟକୁ ଏଡ଼ାଇବା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ଏବେ ‘ସାମାଜିକ ବନୀକରଣ’ ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାନୁସାରେ ପଡ଼ିଆ, ଟାଙ୍ଗରା ଭୂଇଁ ଓ ରାସ୍ତା କଡ଼ରେ ବୃକ୍ଷ ଲଗାଯାଉଛି । କେତେକ ଅଞ୍ଚଳରେ ଏହା ପରିବେଶ ଉପରେ ସୁସ୍ଥ ପ୍ରଭାବ ପକାଇଲେ ମଧ୍ୟ ପ୍ରାକୃତିକ ଜଙ୍ଗଲପରି କ’ଣ ହୋଇପାରିବ ? ବଣ ଜଙ୍ଗଲ ପ୍ରକୃତି ସୃଷ୍ଟି କରିଥାଏ-। କୃତ୍ରିମ ଉପାୟରେ କେବେହେଲେ ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରିପାରିବା ନାହିଁ । ଯେଉଁ ଜଙ୍ଗଲ ସବୁ ଅଛି, ତାକୁ ରକ୍ଷାକରିବା ସହିତ ପ୍ରତ୍ୟେକ ଲୋକ ନିଜ ଘରପାଖ ବାଡ଼ିବଗିଚାରେ କିଛିକିଛି ଗଛ ଲଗାଇବା ଉଚିତ । ସହରାଞ୍ଚଳରେ କୋଠାଘର ଆଖ ପାଖରେ କୁଣ୍ଡରେ ବହୁପ୍ରକାର ଗଛ ମଧ୍ୟ ଲଗାଯାଇପାରେ । ଛାତ୍ରମାନଙ୍କୁ ଗଛର ଉପକାରିତା ବୁଝାଇ ଗଛ ଲଗାଇବା ସମ୍ପର୍କରେ ଶିକ୍ଷା ଦିଆଯିବା ଉଚିତ । ଗଛ ଲଗାଇବା ଏକ ପବିତ୍ର ଏବଂ ମହତ୍ କର୍ମ ବୋଲି ସମସ୍ତେ ଗ୍ରହଣ କରିବା ଉଚିତ ।

○○○

 

ଜୀବଜନ୍ତୁ

 

ବଣଜଙ୍ଗଲ ପରି ଜୀବଜନ୍ତୁଙ୍କର ମଧ୍ୟ ପରିବେଶ ଉପରେ ଯଥେଷ୍ଟ ପ୍ରଭାବ ଅଛି । ଜୀବଜନ୍ତୁ ଓ ବୃକ୍ଷଲତା ଉଭୟ ପ୍ରକୃତିର ଭାରସାମ୍ୟ କରିଥା’ନ୍ତି । ଫଳରେ ପରିବେଶ ସୁସ୍ଥ ଓ ନିର୍ମଳ ରହେ । ଜୀବଜନ୍ତୁ କହିଲେ ମନୁଷ୍ୟଠାରୁ ଆରମ୍ଭ କରି ସାମାନ୍ୟ କୀଟପତଙ୍ଗ ଓ ପୋକଯୋକକୁ ବୁଝାଏ । ସିଂହ, ବାଘ, ଭାଲୁ, ଗଣ୍ଡା, ଗୟଳ ପ୍ରଭୃତି ପ୍ରାଣୀ ବଣ ଜଙ୍ଗଲରେ ରହନ୍ତି-। ଗାଈ, ଗୋରୁ, ଛେଳି, ମେଣ୍ଢା, ମଇଁଷି, ବିରାଡ଼ି, କୁକୁର ପ୍ରଭୃତି ଗୃହପାଳିତ ପଶୁ । ଏହା ବ୍ୟତିତ ବହୁ ପ୍ରକାର ପକ୍ଷୀ ଆକାଶରେ ଉଡ଼ି ବୁଲୁଛନ୍ତି ବା ଗଛଡାଳରେ ବସାବାନ୍ଧି ରହିଛନ୍ତି । ଆମ ଘର ଚାରିପଟେ ମୂଷା, ମଶା, ମାଛି, ଏଣ୍ଡୁଅ, ଝିଟିପିଟି ପ୍ରଭୃତି ଅସଂଖ୍ୟ କୀଟପତଙ୍ଗ ଦେଖାଯାନ୍ତି-। ଏପରି ବହୁ ପ୍ରାଣୀ ଅଛନ୍ତି ଯାହାକୁ ଆମେ କେବେ ଦେଖିନାହୁଁ କି ଦେଖିପାରିବୁ ନାହିଁ । ଗୋଟିଏ ହିସାବରୁ ପ୍ରାଣୀବିଜ୍ଞାନୀମାନେ ସ୍ଥିର କରିଛନ୍ତି ଯେ ପୃଥିବୀରେ ପ୍ରାୟ ପନ୍ଦର ଲକ୍ଷରୁ ଅଧିକ ଜାତିର ଜୀବଜନ୍ତୁ ଅଛନ୍ତି ।

 

ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା ହୋଇଛନ୍ତି । ଉଦ୍ଭିଦଜଗତ ମଧ୍ୟ ଏଥି ସହିତ ସମ୍ପୃକ୍ତ । ଉଭୟ ପରସ୍ପର ଉପରେ ନର୍ଭରଶୀଳ । ବାଘ, ଭାଲୁ, ସିଂହ ପ୍ରଭୃତି ହିଂସ୍ର ଜନ୍ତୁମାନେ ହରିଣ, ମଇଁଷି, ଛେଳି, ମେଣ୍ଢା ପ୍ରଭୃତି ଜନ୍ତୁଙ୍କୁ ମାରି ଖାଆନ୍ତି । ଫଳରେ କୌଣସି ଏକ ଜାତୀୟ ପ୍ରାଣୀଙ୍କ ସଂଖ୍ୟା ଅତିରିକ୍ତ ବୃଦ୍ଧି ପାଏ ନାହିଁ । ଯଦି ଜଙ୍ଗରରୁ ବାଘ, ସିଂହ ପ୍ରଭୃତି ହିଂସ୍ର ଜନ୍ତୁମାନଙ୍କ ସଂଖ୍ୟା କମିଯିବ, ଅନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢ଼ିଯିବ । ସେମାନେ ଜଙ୍ଗଲର ଗଛ, ଲତା ଖାଇ ଜଙ୍ଗଲକୁ ନଷ୍ଟ କରିଦେବେ । ଏହାର ପ୍ରଭାବ ପରିବେଶ ଉପରେ ପଡ଼ିବ । ଅନ୍ୟ ପକ୍ଷରେ ବନ୍ୟଜନ୍ତୁ ଶିକାର ଦ୍ଵାରା ହରିଣ, ଗୟଳ ଆଦି ପଶୁମାନଙ୍କ ସଂଖ୍ୟା ହ୍ରାସ ପାଇଲେ, ଖାଦ୍ୟପାଇଁ ସେମାନଙ୍କ ଉପରେ ନିର୍ଭର କରୁଥିବା ବାଘ, ଭାଲୁ, ଚିତାବାଘ ଇତ୍ୟାଦି ଗାଁଗଣ୍ଡାକୁ ପଶିଆସି ଶସ୍ୟ ନଷ୍ଟ କରିବା ସହିତ ନାନା ଉତ୍ପାତ ଘଟାଇବେ । ଏବେ ମଧ୍ୟେ ମଧ୍ୟେ ଏପରି ଅବସ୍ଥା କେତେକ ଅଞ୍ଚଳରେ ଘଟୁଥିବାର ସମ୍ବାଦ ପ୍ରକାଶିତ ହେଉଛି ।

Image

ଜଙ୍ଗଲକୁ ମଣିଷ ସୃଷ୍ଟି କରିନାହିଁ । ପ୍ରାକୃତିକ ଉପାୟରେ ପଶୁପକ୍ଷୀଙ୍କ ଦ୍ଵାରା ହଁ ଜଙ୍ଗଲର ସୃଷ୍ଟି । ଜୀବଜନ୍ତୁମାନେ ବଣରେ ବୁଲି ବିଭିନ୍ନ ସ୍ଥାନରେ ମଳ ତ୍ୟାଗ କରନ୍ତି । ଏହାଦ୍ଵାରା ଭୂମିର ଉର୍ବରତା ବୃଦ୍ଧିପାଏ । ସେମାନଙ୍କର ମଳ ସହିତ ବିଭିନ୍ନ ବୃକ୍ଷଲତାର ମଞ୍ଜି ଚାରିଆଡ଼େ ବିଚ୍ଛୁରିତ ହୋଇଯାଏ । ତେଣୁ ଜୀବଜନ୍ତୁ ପ୍ରାକୃତିକ ଜଙ୍ଗଲ ବୃଦ୍ଧିରେ ସାହାଯ୍ୟ କରିଥା’ନ୍ତି । ଜୀବଜନ୍ତୁ ଜଙ୍ଗଲର ରକ୍ଷକ । ସେମାନଙ୍କ ସଂଖ୍ୟା ହ୍ରାସ ପାଇଲେ ଜଙ୍ଗଲ ସମ୍ପଦର ଅଶେଷ କ୍ଷତିଘଟିବ ।

 

ଜୀବଜନ୍ତୁମାନଙ୍କ ମଧ୍ୟରେ ବହୁ ଉପକାରୀ ଓ ଅପକାରୀ ଜୀବ ଅଛନ୍ତି । କେତେକ ପଶୁପକ୍ଷୀ ଅନିଷ୍ଟକାରୀ କୀଟପତଙ୍ଗ ଓ ପୋକଯୋକ ପ୍ରଭୃତିକୁ ଖାଇ ଜୀବନ ଧାରଣ କରନ୍ତି । ଫଳରେ ଏହି କୀଟପତଙ୍ଗମାନଙ୍କ ସଂଖ୍ୟା ଅସ୍ଵାଭାବିକଭାବରେ ବଢ଼ିଯାଏ ନାହିଁ । ବହୁ ପଶୁପକ୍ଷୀ ଯଥା କୁକୁର, ବିରାଡ଼ି, ଶାଗୁଣା, ଚିଲ, କାଉ ପ୍ରଭୃତି ଅଳିଆ ଆବର୍ଜନା ଖାଇ ପରିବେଶକୁ ସୁସ୍ଥ ଓ ନିର୍ମଳ ରଖନ୍ତି । ଆମେ ପ୍ରତିଦିନ କେତେ ଛେପ, ଖଙ୍କାର ଓ ପଚାସଢ଼ା ଜିନିଷ ବାହାରେ ନ ପକାଉଛୁ । ସେଥିରୁ କେତେକାଂଶ ମାଟି, ଉତ୍ତାପ, ପାଣି ଓ ପବନ ଦ୍ଵାରା ପରିଷ୍କୃତ ହୋଇଯାଏ । ଏହା ବ୍ୟତୀତ କେତେକ ପଶୁପକ୍ଷୀ ଏହି ଅଳିଆ ଆବର୍ଜନାକୁ ଖାଇ ସଫା କରିଦିଅନ୍ତି ।

Image

ପ୍ରକୃତିର ଭାରସାମ୍ୟ ରକ୍ଷା କରିବାରେ ପ୍ରତ୍ୟେକ ଜୀବର ଆବଶ୍ୟକତା ଅଛି । କୌଣସି ଗୋଟିଏ ଜାତିର ଜୀବଜନ୍ତୁ ସଂଖ୍ୟା ଅତି ମାତ୍ରାରେ ବଢ଼ିଗଲେ ବା ହ୍ରାସ ପାଇଲେ ପରିବେଶ ପ୍ରତି ଘୋର ବିପଦ ମାଡ଼ି ଆସିବ । ନିର୍ବିଚାରରେ ବା ହିଂସାପରାୟଣ ହୋଇ ଆମେ ଯଦି ସବୁ ହିଂସ୍ରଜନ୍ତୁଙ୍କୁ ମାରିଦେବା ତାହାହେଲେ ଭୀଷଣ ପରିସ୍ଥିତି ସୃଷ୍ଟି ହେବ ।

 

ସାପ ଓ ପେଚା ମୂଷାମାନଙ୍କୁ ଖାଇ ବଞ୍ଚନ୍ତି । ଯଦି ସବୁ ସାପ ଓ ପେଚା ନଷ୍ଟ ହୋଇଯିବେ । ତେବେ ମୂଷାଙ୍କ ଉପଦ୍ରବ ବଢ଼ିଯିବ । ଫଳରେ ଶସ୍ୟ ନଷ୍ଟ ହେବା ସହିତ ବହୁ ମାରାତ୍ମକ ରୋଗ ଦେଖାଦେବ । ନିକଟ ଅତୀତରେ ପ୍ଲେଗ୍‍ ଯୋଗୁଁ ଆମଦେଶରେ ସୁରାଟ ଅଞ୍ଚଳରେ ହଜାର ହଜାର ଲୋକ ପୋକମାଛି ପରି ମରିଗଲେ । ମୂଷାଙ୍କର ଉତ୍ପାତ ଯୋଗୁଁ ଏହି ରୋଗ ଘଟିଥିଲା ବୋଲି ଲୋକେ କହନ୍ତି ।

 

ଜୀବଜନ୍ତୁ ଆମର ଜାତୀୟ ସମ୍ପଦ । ଆମର ସଂସ୍କୃତି ଓ ସଭ୍ୟତା ସହିତ ଏମାନଙ୍କର ନିବିଡ଼ ସମ୍ପର୍କ ରହିଛି । ବେଦ, ଉପନିଷଦ, କାବ୍ୟ ଓ ପୁରାଣମାନଙ୍କରେ ଜୀବଜନ୍ତୁ ବିଷୟରେ ବହୁ କାହାଣୀ ଓ କାବ୍ୟ କବିତା ଲେଖାଯାଇଛି । ଦେବଦେବୀମାନଙ୍କ ସହିତ ଏମାନଙ୍କର ସମ୍ପର୍କ ଥିବାର ବହୁ ପ୍ରମାଣ ରହିଛି । ମା’ ଲକ୍ଷ୍ମୀଙ୍କ ବାହନ ପେଚା । ବିଦ୍ୟାଦାତା ଗଣେଶଙ୍କ ବାହନ ମୂଷା, ଦୁର୍ଗାଙ୍କ ବାହନ ସିଂହ ଓ ମହାଦେବଙ୍କ ବାହନ ଷଣ୍ଢ ବୋଲି ଆମ ପୁରାଣରେ ଲେଖାଯାଇଛି । ପ୍ରାଣୀମାନଙ୍କ ପ୍ରତି ହିଂସା ଆଚରଣ ନ କରିବା ଏହାର ଉଦ୍ଦେଶ୍ୟ । ମୟୂରର ନୃତ୍ୟ ଦେଖିଲେ ଓ କୋକିଳର କୁହୁକୁହୁ ସଙ୍ଗୀତ ଶୁଣିଲେ କାହା ମନ ଆନନ୍ଦ ଉଲ୍ଲାସରେ ନାଚି ନ ଉଠିବ ? ବିବିଧ ପଶୁପକ୍ଷୀ ବିନା ମନୁଷ୍ୟର ଜୀବନ ଧାରଣ ଏକପ୍ରକାର ଅସମ୍ଭବ ।

 

ଜୀବଜନ୍ତୁର ଅବକ୍ଷୟ ହେଉଛି ମନୁଷ୍ୟ ଯୋଗୁଁ । ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଶିକାରୀମାନେ ନିଜର ଆନନ୍ଦ ପାଇଁ ଅଯଥା ଶିକାରକରି ବହୁ ଜୀବଜନ୍ତୁ ଓ ପଶୁପକ୍ଷୀମାନଙ୍କୁ ବିନାଶ କରୁଛନ୍ତି । ବଣଜଙ୍ଗଲ ନଷ୍ଟ ହେବା ଫଳରେ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଛି । ବାଘ ଆମର ଜାତୀୟ ପଶୁ ଓ ମୟୂର ଜାତୀୟ ପକ୍ଷୀ । ଗତ କେତେ ବର୍ଷ ଧରି ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଶଙ୍ଖଚିଲଟି କେତେ ସୁନ୍ଦର ପକ୍ଷୀ । ଆଜି ଆଉ ସେ ଦେଖାଯାଉ ନାହଁ । କାଳକ୍ରମେ କେତେ ଅମୂଲ୍ୟ ପ୍ରାଣୀ ଯେ ନଷ୍ଟ ହୋଇଯାଉଛନ୍ତି, ତା’ର ହିସାବ କିଏ ରଖିଛି । ଜୀବଜନ୍ତୁ ପରିବେଶର ଏକ ପ୍ରଧାନ ଅଙ୍ଗ ।

 

ପ୍ରତିବର୍ଷ ବିଶ୍ଵରେ ଅକ୍ଟୋବର ମାସ ପହିଲାରୁ ଆଠ ତାରିଖ ପର୍ଯ୍ୟନ୍ତ ‘ପ୍ରାଣୀ ସଂରକ୍ଷଣ ସପ୍ତାହ’ ପାଳିତ ହୁଏ । ଜୀବମାନଙ୍କ ପ୍ରତି ଦୟା ଦେଖାଇବା ଏବଂ ସେମାନଙ୍କୁ ରକ୍ଷା କରିବା ହେଲା ଏହି ସପ୍ତାହର ଉଦ୍ଦେଶ୍ୟ । ଏଥିପାଇଁ ସମସ୍ତେ ସଚେତନ ହେବା ଉଚିତ ।

○○○

 

ମୃତ୍ତିକା ପ୍ରଦୂଷଣ

 

‘କ୍ଷିତି, ଅପ୍, ତେଜ, ମରୁତ ଓ ବ୍ୟୋମ’ ଏହି ପାଞ୍ଚୋଟି ଉପାଦାନ ଅର୍ଥାତ୍ ମାଟି, ପାଣି, ଉତ୍ତାପ, ଆକାଶ ଓ ଓଜନ ହେଉଛି ପ୍ରାକୃତିକ ପରିବେଶ । ମନୁଷ୍ୟ ଓ ଜୀବଜନ୍ତୁଙ୍କ ଶରୀର ଏହି ପାଞ୍ଚଗୋଟି ବସ୍ତୁରେ ଗଠିତ ବୋଲି ଆମର ମୁନିଋଷିମାନେ କହିଯାଇଛନ୍ତି । ଏହାର ଅର୍ଥ ହେଲା–ମାଟି, ପାଣି, ପବନ ଓ ଆକାଶ ଯୋଗୁଁ ଜୀବଜଗତ ଓ ଉଭିଦଜଗତ ତିଷ୍ଠି ରହିଛି । ଏଗୁଡ଼ିକ ହେଲା ପ୍ରାକୃତିକ ପରିବେଶ । ଏହି ପରିବେଶ ବିଶୁଦ୍ଧ ଓ ନିର୍ମଳ ରହିଲେ ଜଗତର ମଙ୍ଗଳ । କିନ୍ତୁ ଦୁଃଖର କଥା ପୂର୍ବକାଳର ସେ ପ୍ରାକୃତିକ ପରିବେଶ ଆଜି ବିଭିନ୍ନ କାରଣରୁ ନଷ୍ଟ ବା ଦୂଷିତ ହେବାରେ ଲାଗିଛି । ପୂର୍ବକାଳରେ ଲୋକସଂଖ୍ୟା କମ୍ ଥିଲା । ଚାରିଆଡ଼େ ବଣ ଜଙ୍ଗଲ ପୂରି ରହିଥିଲା । ମୃତ୍ତିକା, ଜଳ ଓ ପବନ ନିର୍ମଳ ଏବଂ ବିଶୁଦ୍ଧ ଥିଲା । ଜୀବଜନ୍ତୁ ଓ ମନୁଷ୍ୟମାନେ ସ୍ଵଚ୍ଛନ୍ଦରେ ଆହାର ବିହାର କରି ବିଚରଣ କରୁଥିଲେ ।

Image

ବର୍ତ୍ତମାନ ଅବସ୍ଥା ବଦଳି ଯାଇଛି । ଲୋକସଂଖ୍ୟା ବଢ଼ିବା ଫଳରେ ପରିବେଶର ପରିବର୍ତ୍ତନ ଘଟିଲା । ଗମନାଗମନ ପାଇଁ ବଡ଼ ବଡ଼ ରାସ୍ତା ତିଆରି, ଶିଳ୍ପପାଇଁ କଳକାରଖାନା ଓ ଯାନବାହନର ଚଳାଚଳ ଫଳରେ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟିଲା । ଜଳ, ସ୍ଥଳ, ଆକାଶ ସବୁ ଆଜି ପ୍ରଦୂଷିତ । ଏହି ପ୍ରକ୍ରିୟା ଯଦି ଏହିପରି ଚାଲେ ଏବଂ ତା’ର ପ୍ରତିରୋଧ କରାନଯାଏ, ତେବେ ମାନବ ସମାଜ ଶେଷରେ ଧ୍ୱଂସ ହୋଇଯିବ ବୋଲି ବିଜ୍ଞାନୀମାନେ କହିଲେଣି । ପୃଥିବୀସାରା ଏହା ଏକ ସମସ୍ୟା ।

 

ମୃତ୍ତିକା ବା ମାଟି ଆମର ମାଆ । ପୃଥିବୀର ସମସ୍ତ ବସ୍ତୁ ଏଇ ମାଟିରୁ ଜନମି ମାଟିରେ ମିଶିଛନ୍ତି । ମାଟି ନ ଥିଲେ ଜୀବଜନ୍ତୁ କି ଗଛଲତା କେହି ରହିପାରିବେ ନାହଁ । ତେଣୁ ଆମ ପୁରାଣ ଶାସ୍ତ୍ରରେ ‘ମାଟିକୁ ଆମର ମା’ ବୋଲି କୁହାଯାଇଛି । ଯଥାର୍ଥରେ କବି ଲେଖି ଯାଇଛନ୍ତି–“ତୁହି ମା ଧରଣୀ ଜନନୀ ମୋହର, ଧରିଛୁ ମା ମୋତେ କୋଳେ”

Image

ବର୍ତ୍ତମାନ ପୃଥିବୀର ପ୍ରାୟ ସବୁସ୍ଥାନରେ ମୃତ୍ତିକା ପ୍ରଦୂଷଣ ଏକ ସମସ୍ୟା ହୋଇ ଉଠିଛି-। ଚାଷରୁ କିପରି ଭଲ ଫସଲ ଆମଦାନୀ ହୋଇପାରିବ, ଏଥିପାଇଁ ଭୂମିରେ ବହୁପ୍ରକାର ସାର ଓ କୀଟନାଶକ ଔଷଧ ପକାଯାଉଛି । ଏହା ଫଳରେ ମୃତ୍ତିକା ଦୂଷିତ ଓ ବିଷାକ୍ତ ହେଉଛି । ବର୍ଷା ବା ବଢ଼ି ସମୟରେ ଏହି କୃଷିକ୍ଷେତ୍ରରୁ ଜଳ ପ୍ରବାହିତ ହୋଇ ନଈ, ନାଳ, କୂଅ ପ୍ରଭୃତିକୁ ଦୂଷିତ କରୁଛି-। ଫଳରେ ବାୟୁମଣ୍ଡଳ ଦୂଷିତ ହୋଇ ନାନା ରୋଗ ବ୍ୟାପୁଛି । କୃମିରୋଗ ଓ ଝାଡ଼ାବାନ୍ତି ପ୍ରଭୃତି କେତେକ ରୋଗ ମୃତ୍ତିକା ପ୍ରଦୂଷଣ ଫଳରେ ଗାଁ ଗହଳରେ ବ୍ୟାପୁଛି ।

 

ମୃତ୍ତିକା ପ୍ରଦୂଷଣ ଫଳରେ ଶସ୍ୟ, ପନିପରିବା, ଫଳ ପ୍ରଭୃତିର ଗୁଣ ଓ ସ୍ୱାଦ ଖରାପ ହୋଇଯାଉଛି । ଖାଇବାକୁ ସେତେ ଭଲ ଲାଗୁ ନାହଁ । ତେଣୁ ଆମେରିକା ପ୍ରଭୃତି କେତେକ ପାଶ୍ଚାତ୍ୟ ଦେଶରେ ସାର ବା କୀଟନାଶକ ଔଷଧର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ମାଟି ଖରାପ ହେଲେ ତହିଁରେ ଜନ୍ମୁଥିବା ଘାସ ମଧ୍ୟ ଖରାପ ହୋଇପଡ଼େ । ଗୋରୁ, ଗାଈ, ଛେଳି, ମେଣ୍ଢା ଏହି ଘାସ ଖାଇବା ଦ୍ଵାରା ସେମାନଙ୍କ କ୍ଷୀର ମଧ୍ୟ ଦୂଷିତ ହୋଇପାରେ । ସ୍ୱାସ୍ଥ୍ୟପ୍ରତି ଏହି କ୍ଷୀର କ୍ଷତିକାରକ । ତେଣୁ ମୃତ୍ତିକା ପ୍ରଦୂଷଣକୁ ପ୍ରତିରୋଧ କରିବା ଉଚିତ ।

 

ଅଳିଆ, ଆବର୍ଜନା, ଛିଣ୍ଡା କାଗଜ, ପ୍ଲାଷ୍ଟିକ ଓ ଜରି ପ୍ରଭୃତି ଆଡ଼େସାଡ଼େ ପକାଇବା ଦ୍ଵାରା ମୃତ୍ତିକା ପ୍ରଦୂଷଣ ହୋଇଥାଏ । ମାଟି ସ୍ଵାଭାବତଃ ଶୁଦ୍ଧ ଓ ନିର୍ମଳ । ତେଣୁ ମାଟିର ପ୍ରଲେପ ଦେଇ କେତେକ ରୋଗର ଚିକିତ୍ସା କରାଯାଉଥିଲା । ମହାମାନବ ମହାତ୍ମାଗାନ୍ଧୀ ଏହି ପ୍ରାକୃତିକ ଚିକିତ୍ସାର ପକ୍ଷପାତୀ ଥିଲେ । କଥିତ ଅଛି ସେ ନିଜର ପୁଅ ମୁଣ୍ଡରେ ମାଟିର ପ୍ରଲେପ ଦେଇ ତାହାର ଜ୍ୱର ରୋଗ ଭଲକରି ଦେଇଥିଲେ । ମାଟି ଆଜିକାଲି ଏତେ ବିଷାକ୍ତ ହୋଇପଡ଼ିଲାଣି ଯେ, ସେଥିରୁ ନାନାପ୍ରକାର ଜୀବାଣୁ ଜାତ ହୋଇ ଭୟଙ୍କର ରୋଗ ସୃଷ୍ଟି କରୁଛନ୍ତି । କୃମି ରୋଗର ଏକ ପ୍ରଧାନ କାରଣ ହେଲା ମୃତ୍ତିକା ପ୍ରଦୂଷଣ ।

 

ପୂର୍ବକାଳରେ ଲୋକେ ଗୋବରରେ କଚାଘର ଲିପାପୋଛା କରୁଥିଲେ । ଏହାଦ୍ଵାରା ମାଟି ବିଶୋଧିତ ଓ ନିର୍ମଳ ରହୁଥିଲା । ଅସଂଖ୍ୟ ଅଦୃଶ୍ୟ କୀଟପତଙ୍ଗ ମରିଯାଉଥିଲେ । ଯେକୌଣସି ସ୍ଥାନରେ ମଳମୂତ୍ର ତ୍ୟାଗ କରିବା ଦ୍ଵାରା ମୃତ୍ତିକା ଅପରିଷ୍କାର ହେଉଛି । ଫଳରେ ମଶା, ମାଛି ଓ ଆଉ କେତେ ରୋଗଜୀବାଣୁଙ୍କ ସଂଖ୍ୟା ବଢ଼ୁଛି । ଝାଡ଼ାବାନ୍ତି, ମେଲେରିଆ ଜର ଓ ବାତଜ୍ୱର ପ୍ରଭୃତି କେତେକ ରୋଗ ବସ୍ତି ବାସିନ୍ଦା ଓ ଗାଁ ଗହଳରେ ବ୍ୟାପୁଛି ।

 

ମୃତ୍ତିକାରୁ ଆମର ଖାଦ୍ୟ ପାଇଁ ବିଭିନ୍ନ ଫଳମୂଳ ଓ ଶସ୍ୟ ଉତ୍ପନ୍ନ ହେଉଛି । ମାଟି ନ ଥିଲେ ମନୁଷ୍ୟର ଜୀବନ ଧାରଣ ଅସମ୍ଭବ ହୋଇଥାନ୍ତା । ତେଣୁ ଯଥାର୍ଥରେ ପୃଥିବୀ ଆମର ମାତା-। ମୃତ୍ତିକା ପ୍ରଦୂଷଣ ପାଇଁ ସମସ୍ତେ ସଚେତନ ହେବା ଉଚିତ । କବି ଲେଖି ଯାଇଛନ୍ତି–

 

‘‘ସୁଚାରୁ କୁସୁମ ସୁଧାମୟ ଫଳ, ରଖିଛୁ ମା’ ବସୁମତୀ

ବନେ ଉପବନେ, ତରୁଲତା ଡାଳେ ସଜାଇ ଯତନେ ଅତି ।’’

○○○

 

ଅମୃତ ବିଷ ପାଲଟିଲା

 

ଜଳର ଅନ୍ୟନାମ ଜୀବନ । ଜଳ ବିନା ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷ, ଲତା କେହି ବଞ୍ଚିପାରିବେ ନାହିଁ । ପୃଥିବୀ ମରୁଭୂମି ପାଲଟିଯିବ । ବେଦରେ ଲେଖାଯାଇଛି ଜଳ ହେଉଛି ଅମୃତ । କିନ୍ତୁ ବହୁ କାରଣରୁ ସେହି ଜଳ ଦୂଷିତ ଓ ଅପରିଷ୍କୃତ ହୋଇ ଆଜି ମହା ଅନିଷ୍ଟ ଘଟାଉଛି । ହଜାର ହଜାର ଲୋକ ଦୂଷିତ ଜଳ ପାନକରି ନାନାପ୍ରକାର ରୋଗ ଭୋଗୁଛନ୍ତି । କେତେକ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଅମୃତ ଆଜି ବିଷରେ ପରିଣତ ହୋଇଛି । ଜଳଦ୍ଵାରା ପରିବେଶ ଶୁଦ୍ଧ ଓ ପବିତ୍ର ହୁଏ । ଯେକୌଣସି ଅପରିଷ୍କାର ବସ୍ତୁକୁ ଜଳଦ୍ଵାରା ପରିଷ୍କାର କରାଯାଏ-। ପ୍ରତିଦିନ ସ୍ନାନଦ୍ଵାରା କେବଳ ଦେହ ପରିଷ୍କାର ହୁଏ ନାହଁ, ମନ ମଧ୍ୟ ପ୍ରଫୁଲ୍ଲ ରୁହେ-। ଦୂଷିତ ଜଳର ବ୍ୟବହାର ବହୁ ରୋଗର କାରଣ ।

Image

ଗ୍ରାମାଞ୍ଚଳରେ ଲୋକେ କୂଅ ଓ ପୋଖରୀର ପାଣି ବ୍ୟବହାର କରିଥାନ୍ତି । ସବୁ ସ୍ଥାନରେ ଏହି ପାଣି ପରିଷ୍କାର ବା ପବିତ୍ର ନୁହେଁ । ଦଳ ଓ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଥିବାରୁ ପୋଖରୀର ଜଳ ଦୂଷିତ ହୋଇଥାଏ । ଏହାବ୍ୟତୀତ ପୋଖରୀ କୂଳରେ ମଳମୂତ୍ର ତ୍ୟାଗ କରିବା ଓ ପୋଖରୀ ପାଣିରେ ଶୌଚ ହେବାଦ୍ୱାରା ପାଣି ଦୂଷିତ ହୋଇଯାଏ । ପିଇବା ପାଇଁ ତାହା ଅନୁପଯୁକ୍ତ । ବେଳେବେଳେ ବାହାରର ପଚା ଓ ଦୂଷିତ ଜଳ ପୋଖରୀରେ ପଡ଼େ । ପୁଣି ଗାଈ ଗୋରୁମାନଙ୍କୁ ପୋଖରୀରେ ଗାଧୋଇ ଦେବାଦ୍ଵାରା ପାଣି ଖରାପ ହୋଇଯାଏ । କୂଅ ଅବସ୍ଥା ମଧ୍ୟ ସେଇଆ । ଗାଁଗଣ୍ଡାର ଅଧିକାଂଶ କୂଅ କଚା ଓ ଅଳ୍ପ ଗଭୀର । ବାହାରର ମଇଳାପାଣି କୂଅ ଭିତରେ ପଶି ଜଳକୁ ଦୂଷିତ କରେ । ତେଣୁ କୂଅର ଚାରିପାଖ ସଫା ସୁତୁରା ରଖିବା ଉଚିତ । ପ୍ରତିବର୍ଷ ଖରାଦିନେ କୂଅଗୁଡ଼ିକ ସଫାକରି ଉଝାଳିଦେବା ଉଚିତ । ମଧ୍ୟେ ମଧ୍ୟେ ଦୂଷିତ କୂଅ ପାଣିକୁ ଔଷଧ ପକାଇ ସଫା କରିବା ଭଲ ।

 

ନଈ ପାଣିକଥା ଦେଖାଯାଉ । ନଈ କୂଳରେ ମନୁଷ୍ୟର ପ୍ରଥମ ବସତି ଗଢ଼ିଉଠିଥିଲା । ଆଜିକାଲି ସେ ନଈର ଅବସ୍ଥା କ’ଣ ? ଆମ ଭାରତର ଗଙ୍ଗାନଦୀ ଆମ ଦେଶରେ କାହିଁକି, ସାରା ପୃଥିବୀରେ ଏକ ପବିତ୍ର ବୃହତ୍ତମ ନଦୀରୂପେ ବର୍ଣ୍ଣିତ ହୋଇଛି । ଗଙ୍ଗାଜଳ କଣିକାଏ ସିଞ୍ଚିଦେଲେ ଘର ଦୁଆର ପବିତ୍ର ହୋଇଯାଏ ଓ ମୃତ୍ୟୁକାଳରେ ରୋଗୀକୁ ଗଙ୍ଗାଜଳ ସେବନ କରିବାକୁ ଦେଲେ ତାହାର ଆତ୍ମା ସଦ୍‍ଗତି ଲାଭକରେ ବୋଲି ଆମର ବିଶ୍ଵାସ । ଗଙ୍ଗାନଦୀ ଦେବୀ ଗଙ୍ଗାମାତା ରୂପରେ ପୂଜା ପାଉଛି । ଭାରତର ସଭ୍ୟତା ଓ ସମୃଦ୍ଧି ଗଙ୍ଗା ଏବଂ ଅନ୍ୟାନ୍ୟ ନଦୀମାନଙ୍କ ଉପରେ ନିର୍ଭର କରେ । ତେଣୁ ଭାରତକୁ ନଦୀମାତୃକା ଦେଶବୋଲି କୁହାଯାଇଛି । କିନ୍ତୁ ଏବେ ଏହି ନଦୀମାନଙ୍କର ଅବସ୍ଥା ବଦଳି ଯାଇଛି । ନଦୀଜଳ ଅତ୍ୟନ୍ତ ଦୂଷିତହୋଇ ନାନା ଅନିଷ୍ଟର କାରଣ ହୋଇଛି । ଯାହା ଦିନେ ଜୀବଜଗତ ଓ ଉଦ୍ଭିଦଜଗତକୁ ବଞ୍ଚାଇ ରଖିଥିଲା, ତାହା ଆଜି ଧ୍ୱଂସର ଲୀଳା ସୃଷ୍ଟି କରିବାକୁ ଯାଉଛି ।

Image

ଏପରି ହେବାର କାରଣ କ’ଣ ? ନଈ କୂଳରେ ଗଢ଼ିଉଠିଥିବା ହଜାର ହଜାର ଶିଳ୍ପ ଓ କାରଖାନାର ଅଳିଆ ଆବର୍ଜନା ପ୍ରଭୃତି ନଦୀରେ ପଡ଼ି ଜଳକୁ ଦୂଷିତ ଓ ବିଷାକ୍ତ କରୁଛି । ବାରାଣସୀରେ ପ୍ରତିଷ୍ଠିତ ଏକ ତୈଳ ବିଶୋଧନ କାରଖାନା ପବିତ୍ର ଗଙ୍ଗା ନଦୀରେ ଶହଶହ ଟନ ଅଳିଆ ଆବର୍ଜନା ଓ ଦୂଷିତ ପଦାର୍ଥ ଛାଡ଼ି ଦେଉଛି । ବିଭିନ୍ନ କାରଖାନାରୁ ବାହାରୁଥିବା ପଚା ଏବଂ ଦୁର୍ଗନ୍ଧ ପାଣି ନଈରେ ପଶୁଛି । ବହୁପ୍ରକାର ବିଶାକ୍ତ ଗ୍ୟାସ୍ ପାଣିରେ ମିଶିଯାଉଛି । ପ୍ରାୟ ସବୁ ନଈର ଅବସ୍ଥା ଊଣା ଅଧିକେ ଏହିପରି । ଆମ ଓଡ଼ିଶାର ନଈନାଳ ମଧ୍ୟ ଏଥିରୁ ବାଦ୍‍ ଯାଇନାହିଁ । ଆଗ ଯେପରି ନଦୀର ନିର୍ମଳ ଜଳ ପାନକରି ଲୋକେ ଓ ପଶୁପକ୍ଷୀ ତୃଷା ନିବାରଣ କରୁଥିଲେ, ଆଜିକାଲି ସେହି ଜଳ ପ୍ରଦୂଷିତହୋଇ ବହୁ ମାରାତ୍ମକ ରୋଗର କାରଣ ହୋଇଛି । ଆନ୍ଧ୍ରପ୍ରଦେଶର ଏକ ଛୋଟ ନଈ କୂଳରେ ଲୋକେ ପଶୁପାଳନ କରି ଜୀବିକା ନିର୍ବାହ କରୁଥିଲେ । ନଈର ଦୂଷିତ ଜଳ ପାନକରି ପଶୁପକ୍ଷୀମାନେ ଶହଶହ ସଂଖ୍ୟାରେ ମରିଯାଇଥିବାର ଖବର ପ୍ରକାଶ ପାଇଥିଲା । ଦୂଷିତ ଜଳରେ ମାଛମାନେ ମଧ୍ୟ ରୋଗାକ୍ରାନ୍ତ ହୁଅନ୍ତି । ଏପ୍ରକାର ମାଛ ଖାଦ୍ୟପାଇଁ ଅନୁପଯୋଗୀ-

 

ବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ସାଗର ଏବଂ ମହାସାଗର ମଧ୍ୟ ଏହି ପ୍ରଦୂଷଣରୁ ବାଦ୍ ଯାଇନାହଁ । ସମୁଦ୍ର ଅପାର ଓ ଅନନ୍ତ ; ତାହାର ଜଳରାଶି ପ୍ରଦୂଷିତ ହେବ କିପରି ? କିନ୍ତୁ ଏ ଧାରଣା ଠିକ୍ ନୁହେଁ । ସବୁ ନଈ ଶେଷରେ ସମୁଦ୍ରରେ ପଡ଼ିଛି । “ପ୍ରବାହେ ଯେତେ ନଦନଦୀ-ସମସ୍ତେ ମିଳନ୍ତି ଜଳଧି ।’’ ତେଣୁ ସମସ୍ତ ଅଳିଆ ଆବର୍ଜନା ଏବଂ ଦୂଷିତ ପଦାର୍ଥ ନଈ ସୁଅରେ ଭାଷିଯାଇ ସମୁଦ୍ରରେ ପଡ଼ୁଛି । ଫଳରେ ସମୁଦ୍ରର ଜଳ ଦୂଷିତ ହେବାରେ ଲାଗିଛି ।

Image

ଆଜିକାଲି ଚାଷ ଜମିରେ ବହୁପ୍ରକାର କୀଟନାଶକ ଔଷଧର ବହୁଳ ବ୍ୟବହାର ହେଲାଣି ।ଏହି ଔଷଧ ସବୁ ବର୍ଷା ପାଣିରେ ଧୋଇଯାଇ ନଦୀରେ ଏବଂ ଶେଷରେ ସମୁଦ୍ରରେ ପ୍ରବେଶ କରୁଛି । ବର୍ଷ ବର୍ଷ ଧରି ଏହିପରି ଚାଲିଲେ ନଦୀ ସମୁଦ୍ରର ଜଳ କ’ଣ ଆଉ ବିଶୁଦ୍ଧ ଏବଂ ନିର୍ମଳ ରହିପାରିବ ?

 

ସମୁଦ୍ର ଜଳ ଖରାପ ହେବାର ଆଉ ଗୋଟିଏ ପ୍ରଧାନ କାରଣ ହେଲା, ପେଟ୍ରୋଲିୟମ୍ ଓ ତଦ୍‍ଜନିତ ଗ୍ୟାସ୍ । ସମୁଦ୍ର ମଧ୍ୟରେ ଶହଶହ ଜାହାଜ ପ୍ରତିଦିନ ଯାତାୟତ କରୁଛି । ଏହି ଜାହାଜମାନଙ୍କରୁ ପେଟ୍ରୋଲ ଓ ଗ୍ୟାସ୍ ସମୁଦ୍ର ଜଳରେ ମିଶୁଛି । ପୁଣି ଗୋଟିଏ ହିସାବରୁ ଜଣାଯାଇଛି ଯେ ପ୍ରାୟ ଏକ ଲକ୍ଷ ଟନ୍ ପେଟ୍ରୋଲ ବା ପେଟ୍ରୋଲ ପରି ରାସାୟନିକ ପଦାର୍ଥ ସମୁଦ୍ର ମଧ୍ୟରେ ଉତ୍ପନ୍ନ ହେଉଛି । ତେଣୁ ସମୁଦ୍ରର ଜଳ ବାହାରୁ ଓ ଭିତରୁ ଦୂଷିତ ହେବାରେ ଲାଗିଛି । ଏସବୁ ଦିନ ଅଧକର କଥା ନୁହେଁ । ଏହି ପ୍ରକ୍ରିୟା ଯଦି ବର୍ଷ ବର୍ଷ ଧରି ଚାଲେ, ତେବେ ସମୁଦ୍ରର ଅନନ୍ତ ଜଳରାଶି ଯେ ଦିନେ ବିଷାକ୍ତ ହୋଇଯିବ ଏକଥା ବୈଜ୍ଞାନିକମାନେ କହିଲେଣି ।

 

ସହରାଞ୍ଚଳରେ ପାଣି ପାଇପର ଜଳ ମଧ୍ୟ ସବୁ ସମୟରେ ନିରାପଦ ନୁହେଁ । ବେଳେ ବେଳେ ପାଇପ ଫାଟିଗଲେ ବାହାର ଅଳିଆ ଆବର୍ଜନା ଓ ନର୍ଦ୍ଦମାର ଦୂଷିତ ପାଣି ପାଇପ ଭିତରେ ପଶିଯାଏ । ଫଳରେ ପାଇପ ପାଣି ଖରାପ ହୋଇପଡ଼େ । ସବୁଠାରୁ ନିରାପଦ ହେଲା ପାଣିକୁ ଛାଣି ଓ ସିଝାଇ ବ୍ୟବହାର କରିବା ଉଚିତ । ଜଳ ପ୍ରଦୂଷଣ ସମ୍ବନ୍ଧରେ ସଚେତନତା ବୃଦ୍ଧି ନପାଇଲେ ମନୁଷ୍ୟ ସମାଜ ଘୋର ବିପଦର ସମ୍ମୁଖୀନ ହେବ । ‘ଜଳହିଁ ଜୀବନ’ ଏକଥା ମନେରଖିବା ଉଚିତ ।

○○○

 

ବିଶୁଦ୍ଧ ବାୟୁର ଅଭାବ

 

ଜଳ ପରି ବାୟୁକୁ ମଧ୍ୟ ଜୀବନ କୁହାଯାଏ । ମଣିଷ, ଗଛଲତା କୀଟ, ପତଙ୍ଗ କେହି ବାୟୁ ବିନା ଦଣ୍ଡେ ହେଲେ ବଞ୍ଚିପାରିବେ ନାହିଁ । ନିର୍ମଳ ବାୟୁ ସେବନ ଦ୍ଵାରା ମନ ପ୍ରଫୁଲ ଓ ଶରୀର ସୁସ୍ଥ ରହେ । ଅନ୍ୟ ପକ୍ଷରେ ଦୁର୍ଗନ୍ଧ ଓ ଦୂଷିତ ବାୟୁ ଶରୀର ପକ୍ଷେ ଘୋର କ୍ଷତିକାରକ । ସର୍ଦ୍ଦି, କାଶ, ବସନ୍ତ, ମିଳିମିଳା, ହାଡ଼ଫୁଟି, ଯକ୍ଷ୍ମା, ପ୍ଲେଗ୍ ପ୍ରଭୃତି ବହୁ ରୋଗ କେବଳ ଦୂଷିତ ବାୟୁ ସଂକ୍ରମିତ ହୁଏ । ବାୟୁର ଅନ୍ୟ ଏକ ନାମ ହେଲା ‘ଗନ୍ଧବହ’, ଅର୍ଥାତ୍ ଏହାଦ୍ଵାରା କି ସୁଗନ୍ଧ କି ଦୁର୍ଗନ୍ଧ ଏକସ୍ଥାନରୁ ଅନ୍ୟସ୍ଥାନକୁ ସଞ୍ଚାରିତ ହୁଏ । ତେଣୁ ଗୋଟିଏ ସ୍ଥାନର ବାୟୁ ଦୂଷିତ ହେଲେ ତାହା କେବଳ ସେଠାରେ ଆବଦ୍ଧ ନ ରହି ଅନ୍ୟସ୍ଥାନର ଜୀବଜନ୍ତୁ ଓ ବୃକ୍ଷଲତାର କ୍ଷତି ଘଟାଇ ଥାଏ । ବାୟୁମଣ୍ଡଳ ପୃଥିବୀକୁ ଘେରି ରହିଛି । ତେଣୁ ବାୟୁମଣ୍ଡଳ ପ୍ରଦୂଷିତ ହେଲେ ଅତି ବ୍ୟାପକ ଓ ଭୟଙ୍କର ଅବସ୍ଥା ଘଟେ । ଥରେ ଇଂଲଣ୍ଡରେ ବ୍ୟାପିଥିବା ଫ୍ଲୁ ବା ଇନ୍‍ଫ୍ଲୁଏଞ୍ଜା ସର୍ଦ୍ଦିକାଶ ରୋଗ ସାରା ପୃଥିବୀରେ ବ୍ୟାପି ଯାଇଥିଲା ।

 

ବାୟୁରେ ବହୁପ୍ରକାର ଗ୍ୟାସ୍‍, ଓ ଧୂଳିକଣା ଥାଏ । ସେହି ଗ୍ୟାସ୍‍ମାନଙ୍କ ମଧ୍ୟରେ ଅଙ୍ଗାରକାମ୍ଳ ବାଷ୍ପ ମନୁଷ୍ୟ ଓ ଜୀବଜନ୍ତୁଙ୍କ ପକ୍ଷରେ କ୍ଷତିକାରକ । ବାୟୁମଣ୍ଡଳ ପ୍ରଦୂଶିତ ହେବାର ପ୍ରଧାନ କାରଣ ହେଲା ପୃଥିବୀ ପୃଷ୍ଠରୁ ବହୁ ଅଙ୍ଗାରକାମ୍ଳ ବାଷ୍ପ (Carbon d।ox।de) ବାୟୁମଣ୍ଡଳରେ ଅହରହ ପ୍ରବେଶ କରୁଛି । ଏହା କାହିଁକି ହେଉଛି ଜାଣ ? ମଣିଷ ଦ୍ଵାରା ବ୍ୟବହୃତ ଜାଳେଣି କାଠ ଓ କୋଇଲା; ଗାଡ଼ି ମଟରରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲ ଏବଂ କଳକାରଖାନାରୁ ବାହାରୁଥିବା ଧୂଆଁରୁ ଅଙ୍ଗାରକାମ୍ଳ ବାଷ୍ପ ବାହାରି ଉପରକୁ ଉଠି ବାୟୁମଣ୍ଡଳରେ ମିଶୁଛି । ମନୁଷ୍ୟ ଓ ଜୀବଜନ୍ତୁ ନିଃଶ୍ଵାସ ପ୍ରଶ୍ଵାସ ଦ୍ଵାରା ଅକ୍ସିଜେନ୍ ଗ୍ରହଣକରି ଅଙ୍ଗାରକାମ୍ଳ ବାଷ୍ପ ଛାଡ଼ି ଦିଅନ୍ତି । ବଣ ଜଙ୍ଗଲର ବୃକ୍ଷଲତା; ଘାସ ଓ ଗୁଳ୍ମ ଆଦି ଏହି ଅଙ୍ଗାରକାମ୍ଳ ବାଷ୍ପକୁ ଗ୍ରହଣ କରି ନିଅନ୍ତି । ବର୍ତ୍ତମାନ କ’ଣ ଆଉ ବଣ ଜଙ୍ଗଲ ଅଛି ନା ଗଛଲତା ଅଛି ? ଫଳରେ ଅଙ୍ଗାରକାମ୍ଳ ବାଷ୍ପ ବଢ଼ିବାରେ ଲାଗିଛି ଓ ଏହା ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି । ଫଳରେ ସୂର୍ଯ୍ୟଙ୍କର ତାପମାତ୍ରା ବଢ଼ୁଛି । ଏବେ ତୁମେମାନେ ଲକ୍ଷ୍ୟ କରିଥିବ ଗତ କେତେବର୍ଷ ଧରି ଆମ ରାଜ୍ୟରେ ବିଶେଷତଃ ଭୁବନେଶ୍ଵରରେ ଖରାଦିନେ ଉତ୍ତାପ ବହୁପରିମାଣରେ ବଢ଼ିଯାଇଛି । ଏହାର ପ୍ରଥମ ଏବଂ ପ୍ରଧାନ କାରଣ ହେଲା ବଣ ଜଙ୍ଗଲର ହ୍ରାସ । ଏହି ଉତ୍ତାପ ଅସ୍ୱାଭାବିକ ଭାବରେ ବଢ଼ିଗଲେ ତାହା ପୃଥିବୀ ପ୍ରତି ଘୋର ବିପଦ ସୃଷ୍ଟି କରିବ, ଏ କଥା ବିଜ୍ଞାନୀମାନେ ଚେତାଇ ଦେଲେଣି ।

Image

କଳକାରଖାନାରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳକୁ ତ ଦୂଷିତ କରେ; ତା’ଛଡ଼ା ଆଖପାଖ ଅଞ୍ଚଳର ଜୀବଜନ୍ତୁ ଓ ବୃକ୍ଷଲତାର ଘୋର ଅନିଷ୍ଟ ସାଧନ କରେ । ୧୯୫୨ ମସିହାରେ କଳକାରଖାନାରୁ ବାହାରୁଥିବା ଧୂଆଁ ଯୋଗୁଁ ଇଂଲଣ୍ଡରେ ବହୁଲୋକ ସର୍ଦ୍ଦି, କାଶ ଓ ଶ୍ଵାସରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ । କେତେକ ଲୋକ ମଧ୍ୟ ମରିଯାଇଥିଲେ । ନିକଟ ଅତୀତରେ ମଧ୍ୟପ୍ରଦେଶର ଭୋପାଳ ସହରରେ ଗ୍ୟାସ୍‍ ଦୁର୍ଘଟଣାରେ ବହୁ ଧନ ଜୀବନ ନଷ୍ଟ ହୋଇ ଯାଇଥିଲା-। ୧୯୯୪ ମସିହାରେ ସୁରାଟ ସହରରେ ଘଟିଥିବା ପ୍ଲେଗ୍ ରୋଗ ମହାମାରୀ ରୂପ ଧାରଣ କରିଥିଲା । ବାୟୁମଣ୍ଡଳ ପ୍ରଦୂଷିତ ହେଲେ ପରିବେଶ ଯେ କି ଭୟଙ୍କର ଓ ମାରାତ୍ମକ ହେବ, ତାହା ଉକ୍ତ ଘଟଣାରୁ ଜଣାପଡ଼େ ।

 

ଆଉ ଗୋଟିଏ କାରଣ ଯୋଗୁଁ ବାୟୁମଣ୍ଡଳକୁ ବିପଦ ମାଡ଼ି ଆସୁଛି । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଆଣବିକ ପରୀକ୍ଷା କରାଯାଉଛି । ଫଳରେ ତା’ର ତେଜସ୍ଵିୟ ଶକ୍ତି ବାୟୁମଣ୍ଡଳକୁ ପ୍ରଭାବିତ କରୁଛି । ବାୟୁମଣ୍ଡଳତ ଖଣ୍ଡଖଣ୍ଡକିଆ ହୋଇ ରହିନାହିଁ, ଏହା ସମଗ୍ର ପୃଥିବୀକୁ ଘେରି ରହିଛି । ତେଣୁ ଯେକୌଣସି ସ୍ଥାନର ବାୟୁ ପ୍ରଦୂଷଣ ସାରା ପୃଥିବୀ ଉପରେ ନିଶ୍ଚୟ ପ୍ରଭାବ ପକାଇବ । ତାହା କମ୍ ହେଉ ବା ବେଶୀ ହେଉ ।

 

ଆକାଶରେ ପ୍ରତିଦିନ ଯିବାଆସିବା କରୁଥିବା ଶହ ଶହ ଉଡ଼ାଜାହାଜ ଓ ଭୂମିଉପରେ ଚାଲିଥିବା ଲକ୍ଷ ଲକ୍ଷ ଯାନବାହାନରୁ ବାହାରୁଥିବା ଧୂଆଁ ଓ ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳକୁ ପ୍ରଦୂଷିତ କରିବାରେ ଲାଗିଛି । ଏହାବ୍ୟତୀତ ଶିଳ୍ପ ପ୍ରସାର ଫଳରେ ବିଭିନ୍ନ ସ୍ଥାନରେ କଳକାରଖାନା ସବୁ ଗଢ଼ିଉଠୁଛି । ସେଥିରୁ ବହୁପରିମାଣରେ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶୁଛି । ଆମେରିକା ଇଂଲଣ୍ଡ, ରୁଷିଆ ପ୍ରଭୃତି ବଡ଼ ବଡ଼ ଦେଶରେ ଶିଳ୍ପପ୍ରସାର ଯୋଗୁଁ ବାୟୁ-ପ୍ରଦୂଷଣ ଏକ ସମସ୍ୟା ହୋଇ ଉଠିଲାଣି । ଆମ ଦେଶରେ ଦିଲ୍ଲୀ, ମୁମ୍ବାଇ, କଲିକତା, ବାଙ୍ଗାଲୋର, ଚେନାଇ ଏହି ପାଞ୍ଚଗୋଟି ବଡ଼ ସହରରେ ଦୈନିକ ଏକଲକ୍ଷ କିଲୋଗ୍ରାମ୍ ଧୂଆଁ କେବଳ ଯାନବାହାନରୁ ବାହାରୁଛି । ଅଳ୍ପ ହେଲେ ବି ଅନ୍ୟାନ୍ୟ ସହରର ଅବସ୍ଥା ମଧ୍ୟ ସେହିପରି । ଗୋଟିଏ ହିସାବରୁ ଦେଖାଯାଇଛି ଯେ ୧୦୦ ଗୋଟି ଗାଡ଼ି ୫ ମିନିଟ୍ ଧରି ଅନବରତ ଧୂଆଁ ଛାଡ଼ିଲେ, ତାହାର ପରିମାଣ ହେବ ଏକ କିଲୋଗ୍ରାମ୍ । କେତେ ଗାଡ଼ି ନ ଚାଲୁଛି । ବାୟୁମଣ୍ଡଳ କିପରି ଭାବରେ ଦୂଷିତ ହେଉଛି ତାହା ସହଜରେ ଏଥିରୁ ଅନୁମାନ କରିହେବ ।

 

ବାୟୁମଣ୍ଡଳର ପ୍ରଦୂଷଣକୁ ପ୍ରତିରୋଧ କରିବା ପାଇଁ ବୈଜ୍ଞାନିକମାନେ ନାନା ଉପାୟ ବାହାର କଲେଣି । ବିକାଶଶୀଳ ଦେଶମାନଙ୍କରେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି । ଆମ ଦେଶରେ ଏବେ ସରକାର ଓ ଶିଳ୍ପପତିମାନେ ସେ ଦିଗରେ ସଚେତନ ହେଲେଣି । ପ୍ରଦୂଷଣ କିପରି ପ୍ରତିରୋଧ କରିହେବ । ସେଥିପାଇଁ ବୈଜ୍ଞ।ନିକମନେ ନାନା ଉପାୟ ଚିନ୍ତା କଲେଣି । ଗତ କେତେମାସ ତଳେ ମାନ୍ୟବର ସୁପ୍ରିମକୋର୍ଟ ଏକ ମକଦ୍ଦମାରେ ରାୟ ଦେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କଳକାରଖାନାର ମାଲିକମାନେ ପ୍ରଦୂଷଣରେ ପ୍ରତିକାର ନ କଲେ ସେଗୁଡ଼ିକ ବନ୍ଦକରି ଦିଆଯିବ । ଦିଲ୍ଲୀରେ ପୁରୁଣା ଗାଡ଼ି ସବୁ ଚଳାଇବା ଉପରେ ନିଷେଧ ଆଦେଶ ଦିଆଯାଇଛି । ଯେଉଁ ଗାଡ଼ିରୁ ଧୂଆଁ ବାହାରିବ ସେ ଗାଡ଼ିକୁ ଚଳାଇବା ପାଇଁ ଅନୁମତି ଦିଆଯିବ ନାହିଁ । ସୁଖର କଥା ଏବେ ସରକାର, ଶିଳ୍ପପତି ଓ ଜନସାଧାରଣ ବାୟୁ ପ୍ରଦୂଷଣ ବିଷୟରେ ସଚେତନ ହେଲେଣି । ବଡ଼ ବଡ଼ କଳକାରଖାନାରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକ ବ୍ୟବସ୍ଥା ହେଲାଣି ।

○○○

 

ଆକାଶରେ ଫାଟ

 

ଆକାଶରେ ଫାଟ ଏ କଥା ଶୁଣି ତୁମକୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଆକାଶତ ଶୂନ୍ୟ, ତାହାର ଆଦିଅନ୍ତ ନାହଁ । ସେଥିରେ ପୁଣି ଫାଟ ଆସିବ କିପରି ? କିନ୍ତୁ ଏବେ ବୈଜ୍ଞ।ନିକମାନେ ଆକାଶରେ ଫାଟ ଦେଖା ଦେଲାଣି ବୋଲି ଆବିଷ୍କାର କରିଛନ୍ତି ।

 

ପ୍ରକୃତ କଥାଟି ହେଉଛି ଆମ ପୃଥିବୀପୃଷ୍ଠରୁ ଉପରକୁ ବାୟୁମଣ୍ଡଳ ରହିଛି । ପ୍ରଥମରୁ ୨୦ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ବାୟୁମଣ୍ଡଳର ସ୍ତରକୁ ‘ଓଜନ୍’ କହନ୍ତି । ଏହା ଏକ ପ୍ରକାର ଗ୍ୟାସ୍‍-। ଏହି ଓଜନ ଗ୍ୟାସ୍ ମଧ୍ୟଦେଇ ସୂର୍ଯ୍ୟକିରଣ ବାୟୁମଣ୍ଡଳ ଭେଦକରି ପୃଥିବୀ ପୃଷ୍ଠରେ ପଡ଼େ-। ଓଜନସ୍ତର ଏକ ଚାହାଛଣ। ଜାଲି ଭଳି କାମ କରେ । ସୂର୍ଯ୍ୟକିରଣ ଏହି ଓଜନ୍ ସ୍ତର ଦେଇ ଆସିବାବେଳେ ତାହାର ପ୍ରଖରତା ଓ ତୀବ୍ରତା କମିଯାଏ ।

 

ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମି ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ । ଏହି ରଶ୍ମିକୁ ହ୍ରାସ ଓ ନିୟନ୍ତ୍ରିତ କରିବାରେ ଓଜନ ଗ୍ୟାସ୍ ସାହାଯ୍ୟ କରିଥାଏ । ଓଜନ ଗ୍ୟାସ୍‍ ପୃଥିବୀ ପୃଷ୍ଠରେ ବିଛା ଯାଇଥିବା ଏକ ଚାଦର ଭଳି । ଯଦି ଏହି ଚାଦର ପତଳା ବା କଣା ହୋଇଥିବ ତା’ହେଲେ ଓଜନସ୍ତରରେ ଫାଟ ହେଲାଭଳି ହେବ । ଏଇ ହେଲା ଆକାଶର ଫାଟ ।

 

ଏଇ ଫାଟ ବାଟେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି (Ultra Violet Mags) ପୃଥିବୀ ପୃଷ୍ଠରେ ପଡ଼ି ମନୁଷ୍ୟ, ଜୀବଜନ୍ତୁ ବୃକ୍ଷଲତା ପ୍ରତି ମହାବିପଦ ସୃଷ୍ଟି କରିବ । ପୃଥିବୀର ତାପମାତ୍ରା ବଢ଼ିଯିବ ଏବଂ ଜଳବାୟୁରେ ପରିବର୍ତ୍ତନ ଦେଖାଯିବ । ଭାବିଲ ଦେଖି ଆମର ଏଇ ସୁନ୍ଦର ପୃଥିବୀର ଅବସ୍ଥା କ’ଣ ହେବ ? ଅବଶ୍ୟ ଏହା ଯେ ଦିନ ଅଧକରେ ଘଟିଯିବ ତା’ ନୁହେଁ । ତେବେ ବର୍ତ୍ତମାନ ଯେପରି ପରିବେଶ ପ୍ରଦୂଷଣ ଆରମ୍ଭ ହେଲାଣି, ଏପରି ଅବସ୍ଥା ଯେ ନ ଘଟିବ କିଏ କହିବ ? ଏବେ ତ ଗତ କେତେ ବର୍ଷ ମଧ୍ୟରେ ଜଳବାୟୁର ପରିବର୍ତ୍ତନ ହେଉଛି । ତାପମାତ୍ରା ବଢ଼ୁଛି । ତେଣୁ ଆମକୁ ଆଗରୁ ସାବଧାନ ହେବାକୁ ହେବ ।

 

ଓଜନସ୍ତର ପତଳା ହେବା ଏବଂ ସେଥିରେ ଛିଦ୍ର ସୃଷ୍ଟି ହେବାର କାରଣ କ’ଣ ? ଏଥିପାଇଁ ବହୁତ କାରଣ ଅଛି । ଶିଳ୍ପର ପ୍ରସାର ପାଇଁ ଚାରିଆଡ଼େ ବଡ଼ ବଡ଼ କଳକାରଖାନା ସ୍ଥାପିତ ହେଉଛି । ପ୍ରତିଦିନ ଅସଂଖ୍ୟ ଯାନବାହନର ବ୍ୟବହାର ହେଉଛି । ଆକାଶରେ ପ୍ରତିଦିନ ଶହ ଶହ ଉଡ଼ାଜାହାଜ ଘୋର ଘର୍ଘର ଘୋଷ ଶବ୍ଦକରି ଦେଶବିଦେଶକୁ ଯାତାୟତ କରୁଛି । ଏଥିରୁ ବାହାରୁଥିବା ଧୂଆଁ ଓ ରାସାୟନିକ ଗ୍ୟାସ୍ ଅହରହ ବାୟୁମଣ୍ଡଳରେ ଜମା ହେଉଛି । ଏକପ୍ରକାର କ୍ଲୋରିନ ଗ୍ୟାସ୍‍ ବାୟୁମଣ୍ଡଳରେ ମିଶି ଓଜନସ୍ତରକୁ ପତଳା କରୁଛି ଏବଂ ସେଥିରେ ଫାଟ ସୃଷ୍ଟି କରୁଛି ।

 

୧୯୮୭ ମସିହାରେ ବୈଜ୍ଞ।ନିକମାନେ ଉକ୍ତ ତଥ୍ୟ ଜାଣିପାରିଲେ । ୧୯୯୪ ମସିହାରେ ଆମେରିକାର ‘ନାସା’ ବିଜ୍ଞାନାଗାରରେ ଏ ବିଷୟରେ ବହୁ ଗବେଷଣା କରାଯାଇଛି । ସେମାନେ ଓଜନସ୍ତରର ଅବସ୍ଥା ବିଷୟରେ ବହୁ ପ୍ରାମାଣିକ ତଥ୍ୟ ସଂଗ୍ରହ କରିଛନ୍ତି । ପୃଥିବୀ ପ୍ରତି ଯେ ଘୋର ବିପଦ ମାଡ଼ି ଆସୁଛି ତାହା ବୈଜ୍ଞ।ନିକମାନେ ସୂଚାଇ ଦେଲେଣି ।

 

ଦ୍ଵିତୀୟ କାରଣ ହେଲା ଆଣବିକ ଅସ୍ତ୍ରଶସ୍ତ୍ର ଓ ପରମାଣୁ ବୋମାର ପ୍ରୟୋଗ ଏବଂ ବ୍ୟବହାର । ଏହି ବୋମା ବିସ୍ଫୋରଣରେ ବହୁପରିମାଣ ନାଇଟ୍ରୋଜେନ୍ ଅକ୍‍ସାଇଡ ଉତ୍ପନ୍ନ ହୁଏ । ଏହା ବାୟୁମଣ୍ଡଳର ଓଜନସ୍ତର ପ୍ରତି ବିଶେଷ କ୍ଷତିକାରକ । ଏହି ବିପଦକୁ ଏଡ଼େଇବା ପାଇଁ ବହୁଦେଶ ଏ ଦିଗରେ ସତର୍କତା ଅବଲମ୍ବନ କଲେଣି । ବାୟୁମଣ୍ଡଳରେ ଏପରି ବିସ୍ଫୋରଣରୁ ଏବେ ପ୍ରାୟ ବନ୍ଦ କରି ଦିଆଯାଇଛି । ତେବେ ଭବିଷ୍ୟରେ କ’ଣ କେତେବେଳେ ଘଟିବ କିଏ କହିବ-?

 

ଆଜିକାଲି ଅଧିକ ଶସ୍ୟ ଉତ୍ପାଦନ ପାଇଁ କୃଷିକ୍ଷେତ୍ରରେ ବହୁପ୍ରକାର କୀଟନାଶକ ଔଷଧର ବ୍ୟବହାର ହେଉଛି । ଏହି ବିଷାକ୍ତ ଔଷଧରୁ ନିର୍ଗତ ବାଷ୍ପ ଉପରକୁ ଉଠି ବାୟୁମଣ୍ଡଳରେ ମିଶୁଛି । ଆମେ ବିଭିନ୍ନ ଉପାୟରେ ବହୁପ୍ରକାର ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛୁ । ଫ୍ରିଜ, ଏୟାରକୁଲର (AC) ପ୍ରଭୃତି ଯନ୍ତ୍ରପାତିର ବ୍ୟବହାର ଓ ଚାହିଦା କ୍ରମେ ବଢ଼ିବାରେ ଲାଗିଛି । ଏହି ଯନ୍ତ୍ରଗୁଡ଼ିକର ନିର୍ମାଣପାଇଁ କ୍ଲୋରୋଫୁନ୍ କାର୍ବନ ନାମକ ଏକ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହୁଏ । ଏହା ବାୟୁମଣ୍ଡଳ ପ୍ରତି ଘୋର କ୍ଷତିକାରକ । ଏହି ଅନିଷ୍ଟକାରୀ ଗ୍ୟାସ୍‍ ବିନା ଫ୍ରିଜ, ଏସି ପ୍ରଭୃତି କିପରି ନିର୍ମିତ ହୋଇପାରିବ, ସେଥିପାଇଁ ବୈଜ୍ଞ।ନିକମାନେ ଗବେଷଣା ଚଳେଇଲେଣି । ଭାରତର ବିଖ୍ୟାତ ଗଡ଼ରେଜ୍‍ କମ୍ପାନୀ କ୍ଲୋରୋଫୁନ୍‍ କାର୍ବନ ବିନା ଫ୍ରିଜ ତିଆରି କରିବ ବୋଲି ଏବେ ଘୋଷଣା କରିଛି । ଯଦି କ୍ଲୋରୋଫୁନ୍‍ ଗ୍ୟାସ୍‍ର ବ୍ୟବହାର ବନ୍ଦ ନ ହୁଏ ତେବେ ଓଜନସ୍ତର ଆଗାମୀ କେତେ ବର୍ଷ ମଧ୍ୟରେ ନଷ୍ଟ ହୋଇଯିବାର ସମ୍ଭାବନାକୁ ଏଡ଼ି ହେବ ନାହିଁ ।

 

କୋଟି କୋଟି ମନୁଷ୍ୟ ଓ ଜୀବଜନ୍ତୁ ନିଃଶ୍ୱାସ ପ୍ରଶ୍ୱାସରେ ବହୁ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ଛାଡ଼ୁଛନ୍ତି । ପୃଥିବୀର ଗଛଲତା ଏହି ଅଙ୍ଗାରକାମ୍ଳ ବାଷ୍ପକୁ ଗ୍ରହଣ କରନ୍ତି । କିନ୍ତୁ ଆଜିକାଲି କ’ଣ ଆଉ ସେ ଅବସ୍ଥା ଅଛି ? ଲୋକେ ତ ବଣଜଙ୍ଗଲ ସଫାକରି ସାରିଲେଣି । ଆଉ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣକରିବ କିଏ ? ଫଳରେ ଏହି ବାଷ୍ପ ବାୟୁମଣ୍ଡଳରେ ଜମାହୋଇ ଉତ୍ତାପ ବଢ଼ାଇବା ସହିତ ଓଜନସ୍ତରକୁ ନଷ୍ଟକରୁଛି । କ୍ରମାଗତ ଏହି ଅବସ୍ଥା ଚାଲୁ ରହିଲେ ପୃଥିବୀର ଜୀବଜନ୍ତୁ ଓ ବୃକ୍ଷଲତା ଉପରେ କି ପ୍ରଭାବ ପଡ଼ିବ ତାହା ସହଜରେ ଅନୁମେୟ ।

 

ବିବିଧ କାରଣରୁ ବାୟୁମଣ୍ଡଳର ଓଜନସ୍ତର ପତଳା ହୋଇ ଆସୁଛି । ଫଳରେ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ପୃଥିବୀ ପୃଷ୍ଠରେ ପଡ଼ୁଛି । ଯଦି ଏହାର ପ୍ରତିରୋଧ କରାନଯାଏ ତାହାହେଲେ ଭବିଷ୍ୟତରେ ପୃଥିବୀ ପ୍ରତି ବିପଦ ମାଡ଼ି ଆସିବ । ବହୁ ପ୍ରକାର ଚର୍ମରୋଗ ଓ କର୍କଟ ରୋଗ ପ୍ରାଦୁର୍ଭାବ ବଢ଼ିବ । ବହୁଦେଶ ଏ ଦିଗରେ ସଚେତନ ହେଲେଣି, ସତର୍କତା ଗ୍ରହଣ କଲେଣି-

○○○

 

କାନ ଅତଡ଼ା ପଡ଼ିଯାଉଛି

 

ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ସାଙ୍ଗକୁ ଏବେ ଆଉ ଗୋଟିଏ ନୂଆ ଧରଣର ପ୍ରଦୂଷଣ ଦେଖାଦେଲାଣି । ତାହା ହେଉଛି ଶବ୍ଦ ପ୍ରଦୂଷଣ । ଏ କଥା ଶୁଣି ତୁମକୁ ଆଶ୍ଚର୍ଯ୍ୟ ଲାଗୁଥିବ । ଶିଶୁର ଦରୋଟି କଥା, ପକ୍ଷୀମାନଙ୍କର କାକଳି, କୋକିଳର କୁହୁତାନ, ମନ ଫୁଲାଣିଆ ସଙ୍ଗୀତ ଶୁଣିଲେ କହା ମନରେ ଆନନ୍ଦ ନ ଆସିବ ? ପୁଣି ପୂର୍ବକାଳରେ ମୁନିଋଷିମାନେ ଆଶ୍ରମରେ ବେଦ ଉଚ୍ଚାରଣ କରୁଥିବା ବେଳେ ମନୁଷ୍ୟ କାହିଁକି, ଜୀବଜନ୍ତୁମାନେ ସେହି ମଧୁର ଶବ୍ଦ ଶୁଣି ଆନନ୍ଦରେ ବିଭୋର ହୋଇଯାଉଥିଲେ ।

 

କିନ୍ତୁ ଆଜିକାଲି ଅବସ୍ଥା ବଦଳି ଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନାନା ପ୍ରକାର ଗହଳଚହଳ, ଗୋଳମାଳ । କୋଳାହଳ, କଳିକଜିଆ ପ୍ରଭୃତି ଯୋଗୁଁ କାନ ଫାଟି ଯାଉଛି । ମନୁଷ୍ୟ ଆଉ ସ୍ଥିର ହୋଇ ରହିପାରୁନାହିଁ । ଶାନ୍ତ ଓ ନିର୍ମଳ ପରିବେଶ କୁଆଡ଼େ ଉଭେଇଗଲାଣି । ମାଇକିର ଉଚ୍ଚସ୍ୱର, ଯାନବାହନର ଘଡ଼ ଘଡ଼ ଶବ୍ଦ, ହାଟବଜାରରେ ଗୋଳମାଳ ଗାଡ଼ିମଟର ହର୍ଣ୍ଣ, ସଭାସମିତି, ଧର୍ମଘଟ ଇତ୍ୟାଦି ଶବ୍ଦ ପ୍ରଦୂଷଣକୁ ଅତିମାତ୍ରାରେ ବଢ଼ାଇ ଦେଇଛି । ଏହି ଶବ୍ଦ ପ୍ରଦୂଷଣ ସହରରେ ବେଶୀ । କମ୍ ହେଲେ ମଧ୍ୟ ଆସ୍ତେ ଆସ୍ତେ ଏହା ମଫସଲ ଅଞ୍ଚଳକୁ ବ୍ୟାପିଲାଣି । ମେଳା ମହୋତ୍ସବ, ବିବାହ ଓ ପର୍ବପର୍ବାଣିରେ ବାଣ ଫୁଟାଇବା, ମାଇକ୍ ବଜାଇବା, ସଭାସମିତିରେ ବକ୍ତୃତ। ଦେବା, କଳିକଜିଆ ଓ ଦଙ୍ଗାହଙ୍ଗାମା କରିବା ଯୋଗୁଁ ଗାଁ ଗହଳରେ ଶବ୍ଦ ପ୍ରଦୂଷଣର ମାତ୍ରା ବଢ଼ିଛି । ପ୍ରତିଦିନ ଆକାଶରେ ଶହଶହ ଉଡ଼ାଜାହାଜ ଘୋର ଘର୍ଘର ଘୋଷରେ ଯିବା ଆସିବା କରୁଛି । ଫଳରେ ଆକାଶରେ ଶବ୍ଦତରଙ୍ଗ ସୃଷ୍ଟି ହୋଇ କାନ ବଧିରା ହୋଇଯାଉଛି-। ଘରେ ପାଟିତୁଣ୍ଡ, ଗୋଳମାଳ ଲାଗିରହିଛି, ଘରୁ ବାହାରକୁ ବାହାରିଲେ ଅବସ୍ଥା ଆହୁରି ଖରାପ-

 

ଜଳ ଓ ବାୟୁ ପ୍ରଦୂଷଣରେ ଅପକାରିତା ଆମେମାନେ ପ୍ରତ୍ୟେକ୍ଷ ଭାବରେ ଅନୁଭବ କରିପାରୁଛୁଁ । କିନ୍ତୁ ଶବ୍ଦ ପ୍ରଦୂଷଣ ତା’ଠାରୁ ଅଧିକ କ୍ଷତିକାରକ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ଶବ୍ଦ ପ୍ରଦୂଷଣର ଶିକାର ହୋଇଥା’ନ୍ତି । ଏହା ଫଳରେ ମନୁଷ୍ୟର ଶାରୀରିକ ଓ ମାନସିକ ଅବସ୍ଥାରେ ନାନା ପରିବର୍ତ୍ତନ ଦେଖାଯାଏ । ମସ୍ତିକ-ବିକୃତି, ପାଗଳାମି, ରକ୍ତଚାପ, ଶ୍ଵାସ, ଯକ୍ଷ୍ମା ପ୍ରଭୃତି ରୋଗ ଶବ୍ଦ ପ୍ରଦୂଷଣରୁ ଘଟିଥାଏ । ଶବ୍ଦର ତୀବ୍ରତା ଯୋଗୁଁ କର୍ଣ୍ଣରେ ଯନ୍ତ୍ରଣା ଅନୁଭୂତ ହୁଏ-। ମଣିଷ ବିରକ୍ତ ଓ ଚିଡ଼ିଚିଡ଼ା ହୋଇଯାଏ । ଧୀରସ୍ଥିର ଭାବରେ କୌଣସିକାର୍ଯ୍ୟ କରିହୁଏ ନାହିଁ-। ବିଶେଷତଃ ସ୍କୁଲକଲେଜରେ ଛାତ୍ରମାନଙ୍କ ପାଠପଢ଼ା ତଥା ଡାକ୍ତରଖାନାରେ ରୋଗୀମାନଙ୍କ ଚିକିତ୍ସାରେ ଅସୁବିଧା ହୁଏ । ତୀବ୍ର ଶବ୍ଦତରଙ୍ଗ ଯୋଗୁଁ ମନୁଷ୍ୟର ମାନସିକ ଭାରସାମ୍ୟ ନଷ୍ଟ ହୋଇଯାଇପାରେ ।

 

ହୃଦରୋଗ ଓ ରକ୍ତଚାପ ମୁଖ୍ୟତଃ ଶବ୍ଦ ପ୍ରଦୂଷଣ ଯୋଗୁଁ ହୋଇଥାଏ । ଅତ୍ୟଧିକ କଟୁ ଓ ଭୟଙ୍କର ଶବ୍ଦ ଶୁଣିଲେ ମୁଣ୍ଡ ବୁଲାଇବା ସହିତ କର୍ଣ୍ଣ ଗହ୍ୱରରେ ଯନ୍ତ୍ରଣା ଅନୁଭୂତ ହୁଏ । ଅତ୍ୟଧିକ ଶବ୍ଦ ପ୍ରଦୂଷଣ ଫଳରେ ଶ୍ରବଣଶକ୍ତି ନଷ୍ଟ ହୋଇଯାଇପାରେ । ଶବ୍ଦ ପ୍ରଦୂଷଣ ମାନବ ସମାଜକୁ ଏପରି ବ୍ୟତିବ୍ୟସ୍ତ କଲାଣି ଯେ ଲୋକେ ଅତିଷ୍ଠ ହୋଇଗଲେଣି ।

 

ଗତ କିଛିବର୍ଷ ତଳେ ଦିଲ୍ଲୀସହରରେ ଶବ୍ଦ ପ୍ରଦୂଷଣ ବିଷୟରେ ଏକ ସମୀକ୍ଷା କରାଯାଇଥିଲା । ସେଥିରୁ ଜଣାଗଲା ଯେ ଶବ୍ଦ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଠାବାଡ଼ି, ଯାନବାହନ, କଳକାରଖାନା ପ୍ରଭୃତି ବଢ଼ିବାରେ ଲାଗିଛି । ତେଣୁ ଶବ୍ଦପ୍ରଦୂଷଣ ମଧ୍ୟ ବଢ଼ି ଚାଲିଛି । ଘରୁ ଗୋଡ଼ କାଢ଼ିଲେ ନାନାପ୍ରକାର ତୀବ୍ର ଓ କଟୁ ଶବ୍ଦରେ କାନ ବଧିରା ହୋଇଯାଉଛି । ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ଗୋଳମାଳ ଓ କୋଳାହଳ ଲାଗି ରହିଛି । ଦିନରାତି ଉଡ଼ାଜାହାଜର କର୍କଶ ଘୁଘୁ ଶବ୍ଦ ସାଙ୍ଗକୁ ବୋମା ବିସ୍ଫୋରଣରେ କାନଫଟା ଶବ୍ଦରୁ ନିସ୍ତାର ନାହିଁ । ଧର୍ମଘଟ, ମେଳା ଓ ସଭାସମିତିରେ ମାଇକିର ବ୍ୟବହାର ଯୋଗୁଁ ମାନସିକ ଶାନ୍ତି ନଷ୍ଟ ହେଉଛି । ତାହାର କୁ-ପ୍ରଭାବ ଶରୀର ଉପରେ ମଧ୍ୟ ପଡ଼ୁଛି ।

 

ଦିଲ୍ଲୀରେ ଯେଉଁ ଅବସ୍ଥା, ଆମ ଦେଶର ସବୁ ସହରରେ ଊଣା ଅଧିକ ସେହି ଅବସ୍ଥା । କ୍ରମେ ଶବ୍ଦ ପ୍ରଦୂସଣ ସହରତଳି ଓ ମଫସଲ ଅଞ୍ଚଳକୁ ବ୍ୟାପିଗଲାଣି । ଏହାର ନିରାକରଣ ନ ହେଲେ ମନୁଷ୍ୟ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାର ଘୋର ଆଶଙ୍କା । ଶବ୍ଦ ପ୍ରଦୂଷଣ କୁ-ପ୍ରଭାବ କେବଳ ମନୁଷ୍ୟ ଉପରେ ନୁହେଁ, ଜୀବଜନ୍ତୁ ଓ ପଶୁପକ୍ଷୀମାନଙ୍କ ଉପରେ ମଧ୍ୟ ପଡ଼ିଥାଏ । ପଶୁପକ୍ଷୀମାନେ ସ୍ଵଚ୍ଛନ୍ଦରେ ଆହାର ବିହାର କରିପାରନ୍ତି ନାହିଁ । ଉଡ଼ାଜାହାଜର ଘୋର ଗର୍ଜନ ବଡ଼ ବଡ଼ କୋଠାବାଡ଼ି ଓ ବୃକ୍ଷଲତାର କ୍ଷତି ହୁଏ ବୋଲି ବୈଜ୍ଞାନିକମାନେ କହିଲେଣି । ଆକାଶର ଗୋଟିଏ ନାମ ଶବ୍ଦଗୁଣ । କିନ୍ତୁ ବର୍ତ୍ତମାନ ଏହି ଶବ୍ଦ ଦ୍ଵାରା ଆକାଶମଣ୍ଡଳ ବିପର୍ଯ୍ୟସ୍ତ ହେବାକୁ ବସିଲାଣି ।

 

ଶବ୍ଦ ପ୍ରଦୂଷଣର ମାତ୍ରା କମାଇବା ପାଇଁ ଆଜହୁଁ ଉଦ୍ୟମ ନ କଲେ ପୃଥିବୀରେ ବଞ୍ଚିବା କଷ୍ଟକର ହେବ । ନାନା ରୋଗବ୍ୟାଧି ଓ ଅସ୍ଥିରତା ଲାଗି ରହିବ । ଏଣୁ ପରିବେଶ ବିଜ୍ଞାନୀମାନେ କେତେକ ଉପାୟ ବାହାର କଲେଣି । କଳକାରଖାନାର ଚାରିଆଡ଼େ ବଡ଼ ବଡ଼ ପ୍ରାଚୀର ନିର୍ମାଣ କଲେ ଶବ୍ଦର କର୍କଶତା ହ୍ରାସ ପାଇବ । ରାସ୍ତାର ଦୁଇପାଖରେ ଗଛ ଲଗାଇଲେ ଶବ୍ଦ ପ୍ରଦୂଷଣର ମାତ୍ରା କମିଯିବ । ଯାନବାହନର ଶବ୍ଦ ଅଳ୍ପ ଶୁଣାଯିବ । ସ୍କୁଲ, କଲେଜ, ଡାକ୍ତରଖାନା ଓ ଜନବହୁଳ ବସତି ନିକଟରେ ଶିଳ୍ପକାରଖାନା ପ୍ରତିଷ୍ଠା ଉପରେ କଟକଣା ଜାରି କରାଯିବା ଉଚିତ । ମାଇକ୍‍ର ଯଥେଚ୍ଛା ବ୍ୟବହାରରୁ ଏବେ ଆଇନ ବଳରେ ନିୟନ୍ତ୍ରଣ କରାଗଲାଣି । ଲୋକସଂଖ୍ୟା ତ ବଢ଼ିବାରେ ଲାଗିଛି । ତେଣୁ ଗୋଳମାଳ ତ ନିଶ୍ଚୟ ବଢ଼ିବ । ଯଥାର୍ଥରେ ଭାଗବତରେ ଶ୍ରୀ ଜଗନ୍ନାଥ ଦାଶ କହିଛନ୍ତି–“ବହୁତ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜାଇ କଳି ।’’ ତେଣୁ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ ସରକାର ତଥା ଜନସାଧାରଣ ସଚେତନ ହେବା ଉଚିତ ।

○○○

 

ପରିବେଶ ଓ ପ୍ରଗତି

 

ଲୋକସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ଆମ ଦେଶର ଲୋକସଂଖ୍ୟା ୧୦୦ କୋଟିକୁ ଟପିଲାଣି । ଏତେ ଲୋକଙ୍କୁ ଖାଦ୍ୟ ଓ ବାସଗୃହ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା କାଠିକର ପାଠ । ସେଥିପାଇଁ ଦେଶର କୃଷି, ଶିଳ୍ପ, ଗମନାଗମନ, ବାସସ୍ଥାନ ପ୍ରଭୃତିର ସମ୍ୟକ୍‍ ଉନ୍ନତି ଆବଶ୍ୟକ । ତା’ ନ ହେଲେ ଲୋକେ ରହିବେ କିପରି ? ଏ ଗଲା ଗୋଟିଏ ଦିଗ ।

Image

ଅନ୍ୟ ଦିଗରୁ ବିଚାର କଲେ ଶିଳ୍ପାୟନ ପାଇଁ କଳକାରଖାନା ନିର୍ମାଣ ଓ ଯାତାୟତର ସୁବିଧା ଏବଂ ସୁଯୋଗ ଥିବା ଦରକାର । ସ୍ଵାଧୀନତା ପରେ ଆମ ଦେଶରେ ବହୁ କଳକାରଖାନା ନିର୍ମିତ ହୋଇଛି । କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟର ପରିବହନ ପାଇଁ ଗମନାଗମନର ସୁବିଧା କରାଯାଇଛି । ଫଳରେ ଯାନବାହନର ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ବଢ଼ିବା ସହିତ କୃଷି ଓ ଗୋପାଳନ ପାଇଁ ଚାଷ ଜମିର ଅଭାବ ପଡ଼ୁଛି । ତେଣୁ ଲୋକେ ଜଙ୍ଗଲ, ପଡ଼ିଆ ଆଦି ସଫାକରି ଚାଷବାସ ଓ ଘରଦୁଆର କରୁଛନ୍ତି । ବଡ଼ ବଡ଼ ଶିଳ୍ପ ପାଇଁ ବହୁତ ଜାଗା ଦରକାର ହେଉଥିବାରୁ ଲୋକେ ଜଙ୍ଗଲ ସଫାକରି ଓ ଗଛବୃକ୍ଷ କାଟି କଳକାରଖାନା ବସାଉଛନ୍ତି । ଏହା ଫଳରେ ପରିବେଶର ଘୋର ଅବନତି ଘଟୁଛି । ଜଙ୍ଗଲ କମିଯାଉଛି; ଫଳରେ ନାନା ଅସୁବିଧା ସୃଷ୍ଟି ହେଉଛି ।

 

ପୁଣି ବଡ଼ ବଡ଼ କଳକାରଖାନାରୁ ନିର୍ଗତ ଧୂଆଁ, ଅଳିଆ ଆବର୍ଜନା ପଚାପାଣି କ୍ରମେ ପରିବେଶକୁ ପ୍ରଦୂଷିତ କରୁଛି । ଏବେ ଯମୁନା ନଦୀକୂଳରେ ଗଢ଼ିଉଠୁଥିବା କଳକାରଖାନା ଯୋଗୁଁ ନଈପାଣି ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡ଼ିଛି । ତେଣୁ ଦିଲ୍ଲୀ ହାଇକୋର୍ଟ କଳକାରଖାନା ଉପରେ କଟକଣା ଜାରି କରିଛନ୍ତି । ଯମୁନା ନଦୀ କୂଳରେ ଯେଉଁ ଅବସ୍ଥା, ଊଣା ଅଧିକେ ସବୁ ନଈର ଅବସ୍ଥା ସେହିପରି । ଆମ ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ ପ୍ରଭୃତି ନଦୀର ଜଳ ଅତ୍ୟନ୍ତ ଦୂଷିତ । ଏହାର କାରଣ ହେଲା ନଈ କୂଳରେ ସ୍ଥାପିତ ହୋଇଥିବା କଳକାରଖାନାରୁ ମଇଳା ଓ ଆବର୍ଜନା ନିର୍ଗତ ହୋଇ ନଦୀ ଜଳରେ ମିଶୁଛି । ଫଳରେ ନଈ ପୁଣି ଖରାପ ହୋଇ ପଡ଼ୁଛି । ଚଉଦ୍ଵାରର କାଗଜକଳ ଓ ତାଳଚେର କଳକାରଖାନା ଯୋଗୁଁ ବ୍ରାହ୍ମଣୀ ଓ ମହାନଦୀର ଜଳ ଅତିଶୟ ପ୍ରଦୂଷିତ ହେଉଛି । ଏହା ବ୍ୟତୀତ କୋଠାବାଡ଼ି, ଘରଦ୍ଵାର, ରାସ୍ତା ପ୍ରଭୃତି ତିଆରି କରିବାରେ ଆମର ଜଙ୍ଗଲ ସମ୍ପଦର କ୍ଷତି ଘଟୁଛି ।

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଆମେ ପରିବେଶକୁ ଶୁଦ୍ଧ ଏବଂ ନିର୍ମଳ ନ ରଖିବା, ତା’ହେଲେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ନାହିଁ । କୋଠାବାଡ଼ି ଓ ରାସ୍ତାଘାଟ ତିଆରି କରିବାପାଇଁ ଜାଗା ଦରକାର । ଏଗୁଡ଼ିକ ତିଆରି ନ କଲେ ଦେଶର ପ୍ରଗତି ହୋଇପାରିବ ନାହିଁ । ତେଣୁ ପ୍ରଗତି କରିବା ଅତ୍ୟନ୍ତ ଜରୁରୀ । ତାହା ବୋଲି ପରିବେଶ ପ୍ରତି ଏକାବେଳକେ ଆଖି ବୁଜିଦେବା ଠିକ୍ ହେବ ନାହିଁ । ପରିବେଶର ସୁରକ୍ଷା ଯେପରି ଦରକାର, ଦେଶର ପ୍ରଗତି ମଧ୍ୟ ସେହିପରି ଦରକାର । କଳକାରଖାନା ଯୋଗୁଁ ପରିବେଶ ଯେପରି ନଷ୍ଟ ନ ହେବ, ସେଥିପାଇଁ ବୈଜ୍ଞାନିକମାନେ ନାନା ଉପାୟ ବାହାର କଲେଣି । ଅଳିଆ ଆବର୍ଜନାକୁ କାର୍ଯ୍ୟରେ ଲଗାଇବା ପାଇଁ ଉପାୟ ମଧ୍ୟ ବାହାରିଲାଣି ।

Image

ତେଣୁ ପରିବେଶ ରକ୍ଷା ସହିତ ପ୍ରଗତି କରିବାକୁ ହେବ । କେତେକ ଆଜିକାଲି ବଡ଼ ବଡ଼ କଳକାରଖାନା ନିର୍ମାଣ ବିରୋଧରେ ମତ ଦେଉଛନ୍ତି । ସେମାନଙ୍କର ଯୁକ୍ତି ହେଲା ଯେ ଅବିଚାରିତ ଭାବରେ ପରିବେଶକୁ ନଷ୍ଟ କଲେ, ଶେଷରେ ଆମେମାନେ ଘୋର ବିପତ୍ତିର ସମ୍ମୁଖୀନ ହେବା । ମୋଟାମୋଟି କଥାଟା ହେଲା ପରିବେଶର ସୁରକ୍ଷା ସହିତ ପ୍ରଗତି କରିବାକୁ ହେବ । କୌଣସି କାର୍ଯ୍ୟ କରାଯିବା ପୂର୍ବରୁ ପରିବେଶ ରକ୍ଷା ପାଇଁ ଉପାୟମାନ ବାହାର କରିବାକୁ ହେବ ।

Image